ଜୁନ ୪ରେ କେରଳ ଛୁଇଁବ ମୌସୁମୀ : ଏଥର ସ୍ୱାଭାବିକ ଠାରୁ କମ ବର୍ଷାର ଆକଳନ କଲା ସ୍କାଇମେଟ୍

203

କନକ ବ୍ୟୁରୋ : ଏଥର ନିର୍ଦ୍ଧାରିତ ସମୟରେ ଆସୁଛି ମୌସୁମୀ । ହେଲେ ଠିକ ସମୟରେ ମୌସୁମୀ ଆସିଲେ ମଧ୍ୟ ସ୍ୱାଭାବିକ ଠାରୁ କମ ବର୍ଷା ହେବ ବୋଲି ଆକଳନ କରିଛି ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଇମେଟ୍ । ସଂସ୍ଥା ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ଯେ ଏଥର ସ୍ୱାଭାବିକଠାରୁ ୭ ପ୍ରତିଶତ କମ ବୃଷ୍ଟିପାତ ହେବ । ଅର୍ଥାତ ବୃଷ୍ଟିପାତ ପରିମାଣ ୯୩ ପ୍ରତିଶତ ରହିବ ।

ରିପୋର୍ଟ ଅନୁସାରେ ଆସନ୍ତା ୨୨ ତାରିଖରେ ମୌସୁମୀ ଆଣ୍ଡାମାନ ନିକୋବର ଛୁଇଁବ । ଏହାର ୧୨ ଦିନ ପରେ ଅର୍ଥାତ ଜୁନ ୪ରେ କେରଳରେ ମୌସୁମୀ ଛୁଇଁବ । କେରଳରେ ମୌସୁମୀ ଛୁଇଁବାର ୮ରୁ ୧୦ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ । ଅର୍ଥାତ ଜୁନ ୧୨ ତାରିଖ ପରେ ଆମ ରାଜ୍ୟକୁ ମୌସୁମୀ ଛୁଇଁବ । ତେବେ ସ୍କାଇମେଟ ପକ୍ଷରୁ କୁହାଯାଇଛି ଯେ ଓଡ଼ିଶାରେ ମଧ୍ୟ ନିଅଣ୍ଟିଆ ବର୍ଷା ହେଲେ ମଧ୍ୟ ତାହା ସେତେଟା ଚିନ୍ତାଜନକ ହେବ ନାହିଁ । ତେବେ ମୋଟାମୋଟି ଭାବରେ ପୂର୍ବ ଓ ଉତ୍ତରପୂର୍ବ ଭାରତରେ ସ୍ୱାଭାବିକଠାରୁ କମ ବର୍ଷା ହେବ ।