ଗ୍ରାହକଙ୍କ ମନ ଜିଣୁଛି ମାଣ୍ଡିଆ ରସଗୋଲା : କୋରାପୁଟ ମାଣ୍ଡିଆରେ ପ୍ରସ୍ତୁତ ହେଉଛି ବରା, ଇଡଲି ଭଳି ସ୍ୱାଦିଷ୍ଟ ଜଳଖିଆ, ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସାମ୍ନା ଶାତ୍ୱିକ୍ ଷ୍ଟଲରେ ଲାଗୁଛି ଲୋକଙ୍କ ଭିଡ

308

କନକ ବ୍ୟୁରୋ : ଜଗନ୍ନାଥଙ୍କ ଦୁଆରେ କୋରାପୁଟ ମାଣ୍ଡିଆ । ରସଗୋଲା, ସୁପ, ଇଡ଼ଲି, ବରା, ପୁରୀ. ଚକୁଳି ଓ ପକୁଡ଼ି ସବୁ କିଛି ମଣ୍ଡିଆରୁ ପ୍ରସ୍ତୁତ । ସ୍ୱାଦିଷ୍ଟ ଖାଦ୍ୟ ସାଙ୍ଗକୁ ଭିଟାମିନ ଯୁକ୍ତ ଆହାର । ସବୁ କିଛି ମିଳୁଛି ଗୋଟିଏ ସ୍ଥାନରେ । ମିଲେଟ୍ ମିସନକୁ ଅଗ୍ରାଧିକାର ଦେବା ପାଇଁ କୋରାପୁଟ ଜିଲ୍ଳା ପ୍ରଶାସନ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ ।

ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଆଗରେ ‘ଶାତ୍ୱିକ୍’ ଷ୍ଟଲ । ଶାତ୍ୱିକ୍ ଦୁଆରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ । ଆଉ ପ୍ରାୟ ସବୁକିଛି ପ୍ରସ୍ତୁତ ମାଣ୍ଡିଆରୁ । ଆଧୁନିକତାରେ ବିଭିନ୍ନ ଖାଦ୍ୟର ମାନ ବଢ଼ିଥିବା ବେଳେ, ମାଣ୍ଡିଆ ତାର ମାନ ବଜାଇ ରଖିଛି । ଖାଦ୍ୟର ଶୈଳୀ ବଦଳିଛି, ତଥାପି ବଦଳିନି ମାଣ୍ଡିଆର ଗୁଣ । ସ୍ୱାସ୍ଥ୍ୟ ପାଇଁ ହିତକର ମାଣ୍ଡିଆରୁ ପ୍ରସ୍ତୁତ ରସଗୋଲା, ବରା, ଇଡଲି. ପୁରୀ, ଚକୁଳି, ପକୁଡି ଓ ସୁପ୍ ଗ୍ରାହକଙ୍କୁ ପରସି ଦେଉଛି ଏହି ଶାତ୍ୱିକ୍ ଷ୍ଟଲ । ଫାଷ୍ଟଫୁଡ଼ ଖାଦ୍ୟ ଠାରୁ ଦୂରେଇ ରହି ନୂଆ ଢ଼ଙ୍ଗରେ ମାଣ୍ଡିଆରୁ ତିଆରି ଖାଦ୍ୟ ଲୋକଙ୍କୁ ଖୁଆଇବାକୁ ଚେଷ୍ଟା କରିଛି ଜିଲ୍ଳା ପ୍ରଶାସନ ଓ ଜଗନ୍ନାଥ ମନ୍ଦିର କମିଟି ।

ମାଣ୍ଡିଆରେ ପ୍ରସ୍ତୁତ ଅନ୍ୟ ଖାଦ୍ୟ ପଦାର୍ଥ ଅପେକ୍ଷା ଅପେକ୍ଷା ମାଣ୍ଡିଆ ରସଗୋଲା ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଅନ୍ୟ ରସଗୋଲା ଠାରୁ ଟିକେ ଅଲଗା ମାଣ୍ଡିଆ ରସଗୋଲା । ଦେଖିବାକୁ ମାଟିଆ କିନ୍ତୁ ସ୍ୱାଦିଷ୍ଟ । ଆଗକୁ ସୁଗର ଫ୍ରୀ ରସଗୋଲା ପ୍ରସ୍ତୁତ କରିବା ଲକ୍ଷ୍ୟ ରଖିଥିବା କୁହନ୍ତି କାରିଗର । ଏଥିସହ ଆଗକୁ ମାଣ୍ଡିଆ ଦ୍ୱାରା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ କରିବା ଓ ଶିଖାଇବାର ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମନ୍ଦିର ପରିଚାଳନା କମିଟି ସଭାପତି ।

ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର । ମାଣ୍ଡିଆର ରୋଗ ପ୍ରତିରୋଧକାରୀ ଗୁଣ ଅଛି । ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଭିଟାମିନ୍ ଯୁକ୍ତ ଓ ପୁଷ୍ଟିକର । ମାଣ୍ଡିଆ ଚାଷ ଜିଲ୍ଳା ପ୍ରଶାସନ ବିଭିନ୍ନ ଜାତୀୟ କିସମର ବିହନ ଯୋଗାଇବା ସହ ଅମଳ ମାଣ୍ଡିଆକୁ ବିକ୍ରୀ ପାଇଁ ମଣ୍ଡିର ବ୍ୟବସ୍ଥା କରିଛନ୍ତି ।