ମଣ୍ଡିରେ ବିକ୍ରି ଅପେକ୍ଷା ପଡିଥିବା ଧାନକୁ ଭିଜାଇଲା ଅଦିନିଆ ବର୍ଷା : ମେଘୁଆ ଆକାଶକୁ ଦେଖି ଚିନ୍ତାରେ ବୌଦ୍ଧ ଚାଷୀ, ସେପଟେ ସୁପର୍ଣ୍ଣପୁରରେ ଚାଷୀଙ୍କୁ ମିଳୁନି ଟୋକନ

150

କନକ ବ୍ୟୁରୋ : ଗୋଟିଏ ପଟେ ମଣ୍ଡିରୁ ଧାନ ଉଠୁନଥିବାବେଳେ, ଅନ୍ୟପଟେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଧାନ କିଣାବିକାରେ ଅନିୟମିତତା ଯୋଗୁଁ ୧୫ ୨୦ ଦିନ ହେବ ମଣ୍ଡିରେ ପଡିରହିଛି ଧାନ । ଆଉ ଅଦିନିଆ ବର୍ଷା କାରଣରୁ ବୌଦ୍ଧ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ସୁବର୍ଣ୍ଣପୁର ଜିଲ୍ଲାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି । ଟୋକନ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରି ନଥିବାରୁ ଚାଷୀ ଧାନ ବିକି ପାରିନଥିବା ଅଭିଯୋଗ ହୋଇଛି ।

ମୁଣ୍ଡଝାଳ ତୁଣ୍ଡରେ ମାରି ହାଡଭଙ୍ଗା ପରିଶ୍ରମ କରି ବିଲରେ ସୁନାର ଫସଲ ଫୁଟାଇଥିଲା ଚାଷୀ । ଅମଳ ପରେ ସରକାରକୁ ଭଲ ଦରରେ ଧାନ ବିକିବ ବୋଲି ଆଶା କରିଥିଲା । ହେଲେ ସବୁ ଆଶା ବର୍ଷା ପାଣିରେ ଧୋଇ ହୋଇଯାଇଛି । ମଣ୍ଡିରୁ ଧାନ ଉଠି ନଥିବାବେଳେ, ଅଦିନିଆ ବର୍ଷା ଏବେ ଚାଷୀର ଚିନ୍ତା ବଢାଇ ଦେଇଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଢିଗାଁ ସେବା ସମିତିରେ । ୧୫, ୨୦ ଦିନ ହେବ ମଣ୍ଡିରେ ଧାନ ପଡି ରହିଛି । ଆଉ ଅଦିନିଆ ବର୍ଷା ଏବେ ଚାଷୀର ନିଦ ହଜେଇ ଦେଇଛି । ମିଲର ଓ ସେକ୍ରେଟେରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନ କିଣାବିକାରେ ଅବହେଳା ହୋଇଥିବା ଚାଷୀ ଅଭିଯୋଗ କରିଛି । ସେପଟେ ମିଲର ଆସୁନଥିବାବେଳେ ବର୍ଷା ଯୋଗୁଁ କିଛି ଧାନ ଭିଜିଥିବା କହିଛନ୍ତି ସେବା ସମବାୟ ସମିତି ସମ୍ପାଦକ ।

ଟୋକନ ବ୍ୟବସ୍ଥାରେ ଅବହେଳା ପାଇଁ ଅମଳ ଧାନକୁ ବିକି ପାରୁନି ଚାଷୀ । ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ ବିଜେପୁର ଗାଁର ଚାଷୀ ଚିତରଂଜନ ଦାସ । ଧାର କରଜ କରି ୪ ଏକର ଜମିରେ ଧାନ ଚାଷ କରିଥିଲେ । ପ୍ରାୟ ୬୦ କ୍ୱିଂଟାଲ ଧାନ ଅମଳ କରିଛନ୍ତି । ଧାନ ବିକି କରଜ ସୁଝିବେ ବୋଲି ଆଶା ରଖିଥିଲେ । ହେଲେ ସମବାୟ ସମିତିରେ ଡାଟା ଏଂଟ୍ରି ବେଳେ ବିଜେପୁର ମୌଜାକୁ ହିକୁଡି ମୌଜା ଲେଖି ଦେଇଥିବାରୁ ଚିତରଂଜନଙ୍କୁ ଏଯାଏଁ ଟୋକନ ମିଳି ପାରିନାହିଁ । ଫଳରେ ଧାନ ବିକ୍ରି କରି ନପାରି ହିନସ୍ତା ହେଉଛନ୍ତି । ଟୋକନ ଆଶାରେ ଆରଆଇ ଅଫିସରୁ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଭିଟିଛନ୍ତି ହେଲେ କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । କେବଳ ଚିତ୍ତରଞ୍ଜନ ନୁହଁନ୍ତି ତାଙ୍କ ଭଳି ଅନେକ ଚାଷୀ ଟୋକନ ପାଇ ନାହାନ୍ତି । ସେପଟେ ଟୋକନ ନଥିବା ଚାଷୀଙ୍କ କାଗଜପତ୍ର ଭୁବନେଶ୍ୱର ପଠା ଯାଇଛି । ସେଠାରୁ ଟୋକୋନ ଅସିଲେ ଧାନ କିଣାଯିବ ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ କହିଛନ୍ତି ।

ସରକାର ଚାଷୀର ସୁବିଧା ପାଇଁ ଅନେକ ନୂଆ ନୂଆ ଯୋଡନା ଆଉ ନିୟମ ସିନା ଆଣୁଛନ୍ତି, ହେଲେ ତାହା ସଠିକ୍ ଭାବେ ଫଳପ୍ରଦ ହୋଇପାରୁ ନଥିବାରୁ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ବିକ୍ରି ହେବ ଚାଷୀର ଧାନ, ଦେଖିବାକୁ ବାକି ରହିଲା ।