କନକ ବ୍ୟୁରୋ : ସହରର ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ପ୍ରକୃତି କୋଳରେ ହଜିଯିବାକୁ ସମସ୍ତେ ଚାହାନ୍ତି । ଆଉ ସେଥିପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲ୍ଲାରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । କନ୍ଧମାଳର ମଣ୍ଡାସୁର ରାଇକିଆ ନିକଟରେ ରହିଛି ମଣ୍ଡାସୁର ଇକୋଟୁରିଜମ୍ । ମଣ୍ଡାସୁରକୁଟୀର ଜୈବ ବିବିଧତା ପାଇଁ ଏହାକୁ ଐତିହ୍ୟ ସ୍ଥଳର ମାନ୍ୟତା ଦିଆଯାଇଛି  । ଏହା ଏକ ସୁନ୍ଦର ହିଲଷ୍ଟେସନ୍ ଭାବେ ଗତ କିଛି ବର୍ଷ ହେବ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ।

Advertisment

publive-image

ବହୁ ବିଲୁପ୍ତ ପ୍ରାୟ ବୃକ୍ଷଲତାରେ ଭରପୁର ମଣ୍ଡାସୁରକୁଟୀ । ସବୁଜ ବନାନୀ ସାଙ୍ଗକୁ ଘଞ୍ଚ ଜଙ୍ଗଲ ମନକୁ ଆନମନା କରୁଛି । ଅଶାନ୍ତ ମନକୁ ଶାନ୍ତ କରିଦେବା ପରି ପର୍ଯ୍ୟଟନସ୍ଥଳୀ ଟିଏ ମଣ୍ଡାସୁରକୁଟୀ । ପର୍ଯ୍ୟଟକଙ୍କୁ ଆକୃ୍ଷ୍ଟ କରିବା ପାଇଁ ବନବିଭାଗ ପକ୍ଷରୁ ଏଠାରେ ତିଆରି ହୋଇଛି ଏକ କାଠ ବଙ୍ଗଳା । ଏହି କାଠ ବଙ୍ଗଳା ଗୁଡ଼ିକ ସମ୍ପୂର୍ଣ୍ଣ କାଠରେ ତିଆରି ହୋଇଥିବା ବେଳେ ରାତ୍ରିଯାପନ ପାଇଁ ଏଠାରେ ସମସ୍ତ ସୁବିଧା ରହିଛି । ରହିବା ସହ ଖାଇବା ପାଇଁ ମଧ୍ୟ ସମସ୍ତ ସୁବିଧା ଉପଲବ୍ଧ । ଅନଲାଇନ୍ ମାଧ୍ୟମରେ ବୁକିଂ କରି ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁଛନ୍ତି ।

publive-image

ଏହି ପର୍ଯ୍ୟଟନସ୍ଥଳୀର କଡ଼େ କଡ଼େ ଏକ ସୁଉଚ୍ଚ ପାହାଡ଼ ‘ମ୍ୟାଗନେଟ୍’ ମଣ୍ଡାସୁରର ଶୋଭାବର୍ଦ୍ଧନ କରୁଛି । ଅନ୍ୟପଟେ ନିକଟରେ ଥିବା ଛୋଟବଡ଼ ଝରଣା ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ଦୁଇଟି ବଡ଼ ବଡ଼ ପାହାଡ଼ ମଝିରେ ଥିବା ବିରାଟ ଗର୍ତ୍ତକୁ କୁଟୀ କୁହାଯାଏ  । ଆଉ ଏଥିପାଇଁ ଏହି ପର୍ଯ୍ୟଟନସ୍ଥଳୀର ନାମ ମଣ୍ଡାସୁରକୁଟୀ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଏଠାରେ ଏକ ୱାଚ୍ ଟାୱାର ରହିଛି । ପର୍ଯ୍ୟଟକମାନେ ଏଠାରୁ ପର୍ବତମାଳାର ଉପଭୋଗ କରିବା ସହ ସେଲ୍ଫି ମଧ୍ୟ ନେଉଛନ୍ତି । ଅନ୍ୟପକ୍ଷେ ଏଠାରେ ହିଲ୍ ଟ୍ରାକିଂର ମଜା ମଧ୍ୟ ଉଠାଉଛନ୍ତି ଯୁବଗୋଷ୍ଠୀ ।

କନ୍ଧମାଳ ଜିଲ୍ଲାର ରାଇକିଆ ଠାରୁ ୧୦ କିମି ଦୂରରେ ମଣ୍ଡାସୁରକୁଟୀ ହିଲ ଷ୍ଟେସନ୍ । ଭୁବନେଶ୍ୱରରୁ ୨୪୦ କିମି, ବ୍ରହ୍ମପୁରରୁ  ୧୪୫ କିମି ଓ ଜିଲ୍ଲାର ସଦର କମହକୁମା ଫୁଲବାଣୀ ଠାରୁ ୮୦ କିମି ଦୂରର ପଡ଼େ ଏହି ପର୍ଯ୍ୟଟନସ୍ଥଳୀ ।

publive-image

ବର୍ତ୍ତମାନ ଶୀତ ଋତୁ ଚାଲିଥିବା ସମୟରେ ପ୍ରକୃତି କୋଳରେ କିଛି ସମୟ ବିତାଇବା ସହ ବଣଭୋଜି କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ହଜିଯାଉଛନ୍ତି ପର୍ଯ୍ୟଟକ । ଏହି ପର୍ଯ୍ୟଟନ କ୍ଷେତ୍ରକୁ ଦେଖି ଲୋକେ ଯେତେ ଖୁସି ହେଉଛନ୍ତି, ରାସ୍ତାଘାଟ ଠିକ୍ ନଥିବାରୁ ସିତିକି ନିରାଶ ହେବାକୁ ପଡ଼ୁଛି । ପ୍ରଚାର ପ୍ରସାର ନଥିବାରୁ ଲୋକେ ମଣ୍ଡାସୁରକୁଟୀ ବିଷୟରେ ଅଧିକ ଜାଣିନାହାନ୍ତି । ତେଣୁ ସରକାର ଏତିପ୍ରତି ଧ୍ୟାନ ଦେଲେ ମଣ୍ଡାସୁରର ଗୁରୁତ୍ୱ ବଢ଼ିଯାଆନ୍ତା ବୋଲି ପର୍ଯ୍ୟଟକ ମତ ଦେଇଛନ୍ତି ।