କେନ୍ଦ୍ର ସଂସ୍କୃତି ତାଲିକାରେ ରାଜ୍ୟର ୩ ସାଂସ୍କୃତିକ ପରମ୍ପରା : ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣା ଛାୟା ସାମିଲ

1,113

କନକ ବ୍ୟୁରୋ : କେନ୍ଦ୍ର ସଂସ୍କୃତ ତାଲିକାରେ ସ୍ଥାନ ପାଇଲା ମାଣବସା ଗରୁବାର । ଭାରତ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଏପରି ନିଷ୍ପତ୍ତି ଦ୍ବାରା ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନ ଦେଶର କୋଣ ଅନୁକୋଣରେ ପହଞ୍ଚିପାରିବ । କେନ୍ଦ୍ର ସରକାରଙ୍କ ଇନଟାଂଜିବଲ୍ କଲଚରାଲ୍ ହେରିଟେଜ୍ ତାଲିକାରେ ସ୍ଥାନ ପାଇଲା ରାଜ୍ୟର ୩ଟି ମହାନ୍ ସାଂସ୍କୃତିକ ପରମ୍ପରା । ଓଡିଶାର ୩ଟି ମହାନ୍ ସାଂସ୍କୃତିକ ପରମ୍ପରା ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରାଯାଇଛି ।

ମାଣବସା ଗୁରୁବାର ପୂଜା  ଓଡ଼ିଶା ବ୍ୟତୀତ  ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମା ଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ ମଧ୍ୟ ଓଡିଆଙ୍କ ନିଜସ୍ଵ ରନ୍ଧଣାର ନିଚ୍ଛକ ନିଦର୍ଶନ । ଶାଗ, ଦହି ପଖାଳ, ଆମ୍ବିଳ, ସରପୁଳି , ଅଟକାଳି, ମଣ୍ଡା, ଛେନା ଇତ୍ୟାଦି ଓଡିଆ ଘର ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ ।

ଅନ୍ୟପଟେ ଓଡ଼ିଶାର ବିରଳ ଲୋକକଳା ପରମ୍ପରା ରାବଣଛାୟାକୁ ମଧ୍ୟ କେନ୍ଦ୍ର ଐତିହ୍ୟରେ ସ୍ଥାନ ମିଳଛି । ଅନୁଗୋଳ ଜିଲା ପାଲଲହଡ଼ା ଗଡ଼ଜାତରୁ ଆରମ୍ଭ ହୋଇଥିବା ରାବଣଛାୟାର ଦେଶବିଦେଶରେ ନା ରହିଛି । କଳାର ରାଜ୍ୟ ଓଡ଼ିଶାରେ ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା  ରାବଣଛାୟା । ସେହିପରି ମୟୁରଭଞ୍ଜର ସୁନ୍ଦର ପରମ୍ପରା ଅଟେ ଛଉ ନୃତ୍ୟ ମଧ୍ୟ ଇନଟାଂଜିବଲ୍ କଲଚରାଲ୍ ହେରିଟେଜ୍ ତାଲିକାରେ ସ୍ଥାନ ପାଇଛି । ଯାହା ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ନିଶ୍ଚୟ ।

କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡିଶାର ଅନନ୍ୟ ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱଦରବାରରେ ଉପସ୍ଥାପିତ କରିବ ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।