କନକ ବ୍ୟୁରୋ : ବର୍ଷ ବର୍ଷ ଧରି ପଥର ଉପରେ ନିଜ କଳା କୌଶଳକୁ ଖଣତି ମୁନରେ ରୂପ ଦିଏ କାରିଗର । ହେଲେ ଏହି କାରିଗର ଏବେ ଚିନ୍ତାରେ । କାରିଗରଙ୍କୁ ଏବେ ମିଳୁନି ସରକାରୀ ପ୍ରୋତ୍ସାହନ କି ଉପଯୁକ୍ତ ମୂଲ୍ୟ । ତେଣୁ ପେଟ ପୋଷିବା ପାଇଁ ଅନ୍ୟ କାମ କରିବାକୁ ବାଧ୍ୟ ହେଉଛନ୍ତି କାରିଗର ।

Advertisment

ପଥର ଦେହରେ ନିହାଣ ଓ ମୁଦଗର ତାଡ଼ନାରେ ପଥର ପାଉଛି ଜୀବନ । କାରିଗରର ଯାଦୁଗରୀ ସ୍ପର୍ଶରେ ପ୍ରତିମୂର୍ତ୍ତିର ରୂପ ନେଉଛି ପଥର । ପିପିଲି ମଉଜୀବେଗ ଅଂଚଳର ଅକ୍ଷୟ କୁମାର ମହାରଣା ନିଜ ସାଧନାରେ ମଗ୍ନ । ପଥରରୁ ମୂର୍ତ୍ତି ତିଆରୀ କରିବା ବୃତିକୁ ୩୦ ବର୍ଷ ହେବ ଆପଣେଇଛନ୍ତି ଅକ୍ଷୟ କୁମାର । ଏବେ ସେ ଅଷ୍ଟଗଣେଶ ପଥର ମୂର୍ତ୍ତି  ତିଆରିରେ ବ୍ୟସ୍ତ । ସେହିପରି ଅଷ୍ଟଗଣେଷ ମୂର୍ତ୍ତି ନିକଟରେ ଅନେକ ଦେବତାଙ୍କ ମୂର୍ତ୍ତି ସ୍ଥାନ ପାଏ । ଯାହାର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷରୁ ଅଧିକ ଟଙ୍କା ।

ପ୍ରମାଣ ପତ୍ର ନଥିବାରୁ ପଥର ମୂର୍ତ୍ତିକୁ କମ୍ ଦାମରେ ବିକ୍ରି କରୁଛନ୍ତି କାରିଗର । ଏପରିକି ତାଙ୍କ ଠାରୁ ମୂର୍ତ୍ତି କିଣି ନେଇ ଅନ୍ୟମାନେ ତିନିଗୁଣା ଦାମରେ ବିକ୍ରି କରୁଥିବା କହିଛନ୍ତି ଅକ୍ଷୟ । କେନ୍ଦୁଝର, ବଡ଼ବିଲରୁ ଧଳା, ନାଲି ପଥର କି୍ୱଂଟାଲ ପିଛା ୨ ହଜାର ଟଙ୍କା କିଣି, ମୂର୍ତ୍ତି ତିଆରି କରି  କମ୍ ଦାମରେ ବିକିବା କାରିଗରଙ୍କୁ ବାଧୁଛି । ଯାହା ପାଇଁ କାରିଗର ପଥର ମୂର୍ତ୍ତି କାମ ଜାଣି ସୁଧା ଅନ୍ୟ କାମ କରୁଛନ୍ତି । ଏପଟେ କିନ୍ତୁ ଏକଥାକୁ ସହଜରେ ଗ୍ରହଣ କରି ନାହାନ୍ତି ପଦ୍ମଶ୍ରୀ ରଘୁନାଥ ମହାପାତ୍ର । ପଥର ମୂର୍ତ୍ତି ତିଆରି କ୍ଷେତ୍ରରେ ଓଡ଼ିଶାର କାରିଗରଙ୍କ ନାମ ଦେଶ ବିଦେଶରେ ରହିଛି । ହେଲେ ନିଖୁଣ ମୂର୍ତ୍ତି ତିଆରି ସତ୍ୱେ କମ୍ ଦାମରେ ବିକ୍ରି ହେବା କାରିଗରଙ୍କୁ ନିରାଶ କରୁଛି ।