ଦୃଷ୍ଟିହୀନଙ୍କ ଦେବଦୂତ ସାଜିଛନ୍ତି ଦୃଷ୍ଟିହୀନ : ୩୫ ଦୃଷ୍ଟିବାଧିତଙ୍କୁ ନିଜ ଖର୍ଚ୍ଚରେ ପାଠ ପଢ଼ାଇବା ସହ ଆତ୍ମନିର୍ଭରଶୀଳ କରାଇବା ପାଇଁ ତାଲିମ ଦେଉଛନ୍ତି ମୋହନ ମୁର୍ମୁ

190

କନକ ବ୍ୟୁରୋ : ବେସାହାରାଙ୍କ ପାଇଁ ସାହାରା । ଦୃଷ୍ଟିହୀନଙ୍କ ପାଇଁ ମସିହା ପାଲଟିଛନ୍ତି ଦୃଷ୍ଟିହୀନ । ଜନ୍ମରୁ ଦୃଷ୍ଟିଶକ୍ତି ଦେଇନଥିଲା ଦଇବ । ହେଲେ ଆଜିକାଲିର ସ୍ୱାର୍ଥପର ଦୁନିଆରେ ଦୃଷ୍ଟିହୀନ ହୋଇ ବି ସେ ଅନ୍ୟ ଦୃଷ୍ଟିହୀନଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି । ଅନ୍ଧାରୀ ମୂଲକରେ ଆଲୋକର ଅମୃତ ସିଞ୍ଚୁଛନ୍ତି ମୋହନ ମୁର୍ମୁ । ତାଙ୍କ ମହାନତା ଆଗରେ ହାର ମାନିନି ଶାରିରୀକ ଅକ୍ଷମତା । ଦୃଷ୍ଟିହୀନଙ୍କ ପାଇଁ ସେ ମଣିଷ ନୁହେଁ ତ, ସାକ୍ଷାତ ଦେବତା ଜଣେ । ନିଜେ ବଞ୍ଚିବା ସହ ଦୁନିଆକୁ ଦେଖିପାରୁନଥିବା ଲୋକଙ୍କୁ ନିଜ ଖର୍ଚ୍ଚରେ ପାଠ ପଢ଼ାଇବା ସହ ଆତ୍ମନିର୍ଭରଶୀଳ କରାଇବା ପାଇଁ ତାଲିମ୍ ଦେଉଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ସୁଳିଆପଦାର ବ୍ଲକ ପୋଖରୀଆ ଗ୍ରାମର ମୋହନ ମୁର୍ମୁ । ପିଲାଟି ଦିନରୁ ଆଖି ଆଗରେ ଅନ୍ଧକାର ଘୋଟିଥିଲା ସତ କିଛି କରିବାର ଆଶା ନେଇ ମାଟ୍ରିକ ପାସ୍ କରିବା ପରେ ବ୍ରହ୍ମପୁରରେ ୨ ବର୍ଷ ପାଇଁ ହସ୍ତଶିଳ୍ପ ଓ ଧନ୍ଦାମୂଳକ ପାଠ୍ୟକ୍ରମର ତାଲିମ୍ ନେଇଥିଲେ । ଆଉ ତା’ ପରେ ଚାକିରି ଖଣ୍ଡେ ପାଇଁ ଅନେକ ଚେଷ୍ଟା କରିଥିଲେ, ହେଲେ ଚାକିରୀ ନମିଳିବାରୁ ଆତ୍ମନିର୍ଭରଶୀଳ ହେବାପାଇଁ ଗାଁକୁ ଫେରିଆସିଥିଲେ । ଚାକିରିକୁ ଅପେକ୍ଷା ନକରି ନିଜ ପରି ବେସାହାରା ତଥା ଦୃଷ୍ଟିହୀନଙ୍କ ପୀଡ଼ା ଅନୁଭବ କରି ଏକ ୨୦୧୭ ମସିହାରେ ଏକ ବିଦ୍ୟାଳୟ ଖୋଲିଥିଲେ ।

ବଣ ଜଙ୍ଗଲ ଘେରା ଗାଁରେ ଦୃଷ୍ଟିହୀନ ପିଲାଙ୍କ ପାଇଁ ମୋହନ ଆଜିକୁ ଦୁଇବର୍ଷ ହେବ ସ୍କୁଲ ଓ ତାଲିମ କେନ୍ଦ୍ର ଖୋଲିଛନ୍ତି । ନିଜର ସ୍ଥିତି ଭଲନଥିଲେ ସୁଦ୍ଧା ଜଣେ ନୁହେଁ କି ଦୁଇ ଜଣେ ନୁହେଁ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ପାଖରେ ରଖି ଶିକ୍ଷାର ଆଲୋକ ବାଣ୍ଟୁଛନ୍ତି । ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ପାଖରେ ରଖି ଆତ୍ମନିର୍ଭରଶୀଳ ହେବାପାଇଁ ସମସ୍ତ ପ୍ରକାର ତାଲିମ ଦେଉଛନ୍ତି । ସେମାନଙ୍କୁ ଫିନାଇଲ, ମହମବତୀ ଓ ସବାଇ ଘାସରୁ ଦଉଡ଼ି ତିଆରି ଆଦି ଶିଖାଉଛନ୍ତି । ଏହାଦ୍ୱାରା ସେଠାରେ ପଢ଼ୁଥିବା ପିଲାମାନେ ଉପାର୍ଜନକ୍ଷମ ହୋଇପାରୁଛନ୍ତି । ତେବେ ଏସବୁ ପାଇଁ ମୋହନଙ୍କୁ କମ୍ କଷ୍ଟ ସହିବାକୁ ପଡ଼ିନି । ବିନା କୌଣସି ସରକାରୀ ସହାୟତାରେ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଋଣଆଣି ଏହି ଅନୁଷ୍ଠାନ ଆରମ୍ଭ କରିଥିଲେ । ତେବେ ଏପରି ମହତ କାମରେ ମୋହନଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କର ଦୃଷ୍ଟିହୀନ ସ୍ତ୍ରୀ ପ୍ରତିମା । ତାଙ୍କର ଏପରି ମହାନତା ଦେଖି କିଛି ଲୋକ ତାଙ୍କୁ କିଛି ପରିମାଣର ସାହାଯ୍ୟ କରୁଛନ୍ତି ।

ବର୍ତ୍ତମାନ ଏହି ଅନୁଷ୍ଠାନ ପରିବଚାଳନା ବାଦବରେ ପ୍ରାୟ ମାସକୁ ୩୫ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଅନୁଷ୍ଠାନାର ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟରୁ ମାସିକ ୬-୭ ହଜାର ଟଙ୍କା ଆୟ ହେଉଥିଲା ବେଳେ ବାକି କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଅନୁଷ୍ଠାନ ଚାଲିଛି ବୋଲି କହିଛନ୍ତି ମୋହନ । ତେବେ ବିଭିନ୍ନ ଜି୍ଲଲାରୁ ଆସି ମାଗଣାରେ ଶିକ୍ଷାଲାଭ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବେଶ୍ ଖୁସି ଅଛନ୍ତି । ତାଲିମ ନେଉଥିବା ଛାତ୍ରଛାତ୍ରୀ ଭବିଷ୍ୟତରେ ଅନ୍ୟ ଉପରେ ନିର୍ଭର ନକରି ନିଜେ କିଛି କିରପାରିବେ ଆଶା ରଖି ମୋହନ ମୁର୍ମୁଙ୍କୁ ଧନ୍ୟବାଦ ଦେଇଛନ୍ତି । ଦୃଷ୍ଟିହୀନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଦୃଷ୍ଟିହୀନ ମୋହନଙ୍କ ପ୍ରୟାସଙ୍କୁ ଚାରିଆଡ଼େ ପ୍ରଶଂସା କରୁଥିବା ବେଳେ ସରକାରୀ ସହାୟତା ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି ।