କନକ ବ୍ୟୁରୋ : ପ୍ରାୟ ସାଢ଼େ ଚାରି ମାସ ବନ୍ଦ ପଡ଼ିଥିବା ସପିଂ ମଲ୍ଗୁଡ଼ିକୁ ଖୋଲିବାକୁ ବିଏମ୍ସି ଶନିବାର ବିଳମ୍ବିତ ରାତିରେ ଅନୁମତି ଦେଇଥିଲା । ଏଥିପାଇଁ ବିଭିନ୍ନ କଟକଣା ସହ ବିଭିନ୍ନ ନିୟମାବଳି ବି ରଖିଥିଲା। ଆଶା କରାଯାଉଥିଲା, ଦୀର୍ଘ ଦିନ ହେଲା ବନ୍ଦ ପଡ଼ିଥିବା ମଲ୍ଗୁଡ଼ିକ ରବିବାର ଖୋଲିଯିବ। କିନ୍ତୁ ବିଏମ୍ସିର କଟକଣା ଏମିତି ଅଛି ଯେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସମ୍ଭବପର ନଥିବାରୁ ଗତକାଲି ଅଧିକାଂଶ ମଲ୍ ଖୋଲିନି । କାଁ ଭାଁ ସ୍ଥାନରେ ଖୋଲିଥିବା ବେଳେ ଆଜି ଠାରୁ ସବୁ ମଲ୍ ଖୋଲିବ ବୋଲି ଜଣାପଡ଼ିଛି।
ଅପରପକ୍ଷେ ଆଜି ରବିବାର ଥିବାରୁ ଏବଂ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିବାରୁ କିଛି ମଲ୍ କର୍ତ୍ତୃପକ୍ଷ ପୂର୍ବ ପ୍ରସ୍ତୁତି ସତ୍ତ୍ବେ ବି ଆଜି ମାତ୍ର ତିନି ଚାରି ଘଣ୍ଟା ପାଇଁ ମଲ୍ ଖୋଲି ନଥିଲେ। ସମସ୍ତେ ସୋମବାର ଖୋଲିବାକୁ ପ୍ରସ୍ତୁତି କରିଛନ୍ତି। ଆଜି ଖାରବେଳନଗରସ୍ଥିତ ଫୋରମ୍ ମାର୍ଟ ସମେତ କେତେକ ସ୍ଥାନରେ ରିଲାଏନ୍ସ ଷ୍ଟୋର ଖୋଲିଥିବା ବେଳେ ସେଠାରେ ଲୋକଙ୍କର ଥର୍ମାଲ୍ ସ୍କ୍ରିନିଂ କରିବା ପରେ ଭିତରକୁ ଛଡ଼ା ଯାଇଥିଲା। ଯିଏ ମାସ୍କ ପିନ୍ଧି ନଥିଲେ, ସେମାନଙ୍କୁ ଭିତରକୁ ଛଡ଼ା ଯାଇନଥିଲା। ଏହାବାଦ୍ ମଲ୍ ଭିତରେ ଯେପରି ଅଧିକ ଗହଳି ନହେବ, ସେଥିପାଇଁ ଗଣିଗଣି ଲୋକଙ୍କୁ ଭିତରକୁ ଛଡ଼ା ଯାଉଥିଲା। କିଛି ଲୋକ ବାହାରିଲେ ଅନ୍ୟମାନଙ୍କୁ ଛଡ଼ା ଯାଉଥିଲା।