ରାସ୍ତା ନାହିଁ ତ ଭୋଟ୍ ନାହିଁ ! ମାଲକାନଗିରିରେ ଗାଁର ପ୍ରଶାସନିକ ଅଧିକାରୀଙ୍କୁ ଘେରି ଭୋଟ୍ ବର୍ଜନ ଚେତାବନୀ ଦେଲେ ୭ଟି ଗାଁର ଲୋକେ

95

କନକ ବ୍ୟୁରୋ : ଆଣ୍ଠେଇଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା । ବର୍ଷ ବର୍ଷ ଧରି ଶେଷ ହୋଇପାରୁନାହିଁ ରାସ୍ତା ନିର୍ମାଣ । ମାଲକାନଗିରି ସହର ଉପକଣ୍ଠରେ ଥିବା ଗୌଡଗୁଡା ନିର୍ମାଣଧୀନ ରାସ୍ତାର ଅବସ୍ଥା ବେଶ୍ ଦୟନୀୟ । ନିର୍ବାଚନ ପରେ ନିର୍ବାଚନ ବିତି ଯାଉଥିଲେ ହେଁ ଗାଁକୁ ରାସ୍ତା ଟିଏ ନିର୍ମାଣ ହୋଇ ପାରୁ ନ ଥିବାରୁ ଏଥର ଭୋଟ ବର୍ଜନର ଚରମ ନିଷ୍ପତି ନେଇଛନ୍ତି ୭ଟି ଗାଁର ଲୋକେ । ଉତ୍ୟକ୍ତ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଘେରି ୧୦ ଦିନ ଭିତରେ ରାସ୍ତା ନିର୍ମାଣ ଲାଗି ଚେତାବନୀ ଦେବା ସହ ଯନ୍ତ୍ରୀଙ୍କୁ ଗାଁରୁ ଘୋଉଡାଇ ଦେଇଛନ୍ତି ।

ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ସରୁନଥିବାରୁ ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଂଚାୟତବାସୀଙ୍କୁ ଭୋଟ ବର୍ଜନ ନିଷ୍ପତି । ମାଲକାନଗିରି ସହରରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଗୌଡଗୁଡା ପଂଚାୟତର ଲୋକ ଯାତାୟାତ ପାଇଁ ପ୍ରତି ଦିନ ସଂଘର୍ଷ କରୁଛନ୍ତି । ୫ ବର୍ଷ ହେବ ଗାଁକୁ ସଂଯୋଗ ପାଇଁ ରାସ୍ତା ନିର୍ମାଣ ଚାଲିଛି ଯେ, ଶେଷ ହେବାର ନାହିଁ, ତେଣୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି ।

ଏହି ରାସ୍ତା ଦେଇ ଖରା ବର୍ଷା ସବୁ ଦିନ ଦୟନୀୟ ଅବସ୍ଥାରେ ଯାତାୟତ କରିଥାନ୍ତି ଗୌଡଗୁଡା ସମେତ ଏମ.ଭି -୯, ଏମ-ଭି ୧୦ ପରି ୭ ଟି ଗାଁର ଜନତା । ରାସ୍ତା ନିର୍ମାଣ କାମ ସାରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇ ନିରାସ ହେବା ପରେ ଚଳିତ ଭୋଟ୍ ବର୍ଜନ ନିଷ୍ପତି ନେଇଛନ୍ତି । ଆଉ ଗାଁକୁ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଘେରିବା ସହ ଗାଁରୁ ତଡି ଦେଇଛନ୍ତି ।

୧. ୫ ବର୍ଷ ତଳେ ମାଲକାନଗିରି ମଶାଣି ନିିକଟସ୍ଥ ପି.ଡବ୍ଲୁ.ଡି ମୁଖ୍ୟ ରାସ୍ତା ଠାରୁ ଗୌଡଗୁଡା ଏବଂ କୌଇଲିପାରିକୁ ସଂଯୋଗ କରିବା ଉଦ୍ଦେଶ୍ୟ ରାସ୍ତା କାମ ଆରମ୍ଭ ହୋଇଥିଲା ।
୨. ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୫ କିଲୋମିଟର ରାସ୍ତା ପାଇଁ ୫ କୋଟି ୬୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ମାଲକାନଗିରିର ଜଣେ ଠିକାଦାରଙ୍କୁ ଦିଆଯାଇଥିଲା ।
୩. ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ୱାବଧାନରେ ରାସ୍ତା କାମ ଚାଲିଥିବା ବେଳେ କାମ ଅଧାରୁ ଅଧା ଟଙ୍କା ନେଇ ଫେରାର ଠିକାଦାର ।

ତେବେ ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ କାମ ଶେଷ ହେବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ । ଗତ ୨୦୧୪ ସାଧାରଣ ନିର୍ବାଚନ ଓ ୨୦୧୭ ପଂଚାୟତ ନିର୍ବାଚନ ବର୍ଜନ ଲାଗି ମଧ୍ୟ ଧମକ ଦେଇଥିଲେ ଗ୍ରାମବାସୀ । ଆଉ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ପ୍ରତିଶ୍ରୁତିକୁ ଭରସା କରି ଭୋଟ୍ ଦେଇଥିଲେ । ହେଲେ ଏଥର ଆଉ ପ୍ରତିଶ୍ରୁତି ନୁହେଁ କାମ ନଦେଖିଲେ ଭୋଟ୍ ଦେବେ ନାହିଁ କି ନେତାଙ୍କୁ ପ୍ରଚାର ପାଇଁ ଗାଁକୁ ପୂରେଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।