ରାଜ୍ୟରେ କମୁନି ଜନନୀ ଯନ୍ତ୍ରଣା ! ଭାରରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣୁଥିବା ବେଳେ କନ୍ୟାସନ୍ତାନ ଜନ୍ମ ଦେଲେ ମହିଳା

88

କନକ ବ୍ୟୁରୋ : ଗାଁକୁ ରାସ୍ତା ମାଆକୁ ସମ୍ମାନ କେବଳ ନାରାରେ ରହିଗଲା । ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ମାଲକାନଗିରି ଜିଲ୍ଳାରେ ସରୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ବାରମ୍ବାର ଏପରି ଘଟଣା ଘଟୁଥିଲେ ସୁଦ୍ଧା ପ୍ରଶାସନ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉଥିବା ଭଳି ମନେ ହେଉନାହିଁ । ମାଲକାନଗିରି ଜିଲ୍ଲା ମନ୍ତ୍ରୀପୁଟ ଗାଁରେ ପୁଣି ଥିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଅନ୍ତସ୍ୱତ୍ତା ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଆଠ କିଲୋମିଟର ଭାରରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଅଣା ଯାଇଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ ରାଜ୍ୟରେ ବାରମ୍ବାର ଏପରି ସବୁ ଘଟଣା ଘଟୁଛି ।

ସୂଚନାଯୋଗ୍ୟ, ମନ୍ତ୍ରୀପୁଟ ଗାଁରେ ବସବାସ କରୁଥିବା ପଦ୍ମିନୀ ମୁଦୁଲିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରି ଡକାଇଥିଲେ । ହେଲେ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସଟି ଗାଁ ଠାରୁ ୮ କିଲୋମିଟର ଦୂରରେ ଅଟକି ରହି ଯାଇଥିଲା। ତେଣୁ ବାଧ୍ୟ ହୋଇ ପଦ୍ମିନୀଙ୍କ ପରିବାର ଲୋକେ ତାଙ୍କୁ ଏକ ଭାରରେ ଆମ୍ବୁଲାନ୍ସ ପାଖକୁ ଆଣିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଅର୍କେଲ ଡାକ୍ତରଖାନା ନେବା ସମୟରେ ହିଁ ଆମ୍ବୁଲାନ୍ସରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।