ମାଲକାନଗିରିରେ ଦଲାଲଙ୍କ କବଜାରେ ଧାନ ମଣ୍ଡି : କିଏ ଓ କେତେ ଜଣ ପାଇବେ ଟୋକନ ନିର୍ଦ୍ଧାରଣ କରୁଛନ୍ତି ଠକ ? ଚାଷୀ ହତାଶ, ଦଲାଲ ମାଲାମାଲା

55

କନକ ବ୍ୟୁରୋ :  ଦଲାଲଙ୍କ ଦ୍ୱାରା ପରିଚାଳିତ ହୋଉଛି ଧାନ ମଣ୍ଡି । ମାଲକାନଗିରି ଜିଲ୍ଲାରେ ଧାନମଣ୍ଡିକୁ ଦଲାଲମାନେ କେମିତି ନିୟନ୍ତ୍ରଣ କରୁଛନ୍ତି ତାହାର ପ୍ରମାଣ ଲାଗିଛି କାନକ ନ୍ୟୁଜ ହାତରେ । କିଏ ଓ କେତେଜଣ ଟୋକନ ପାଇବେ, ତାହା ନିର୍ଦ୍ଦାରଣ କରୁଛନ୍ତି ଦଲାଲ । ଆଉ ଟୋକନ ପିଛା ମୋଟା ଅଙ୍କ ରୋଜଗାର କରୁଛନ୍ତି ଦଲାଲ ଓ ମଣ୍ଡି ଦାୟୀତ୍ୱରେ ଥିବା ଅଧିକାରୀ । ଆଉ ଅବଶ୍ୟକ ସ୍ଥଳେ ବସ୍ତାରୁ ଧାନ ଚୋରି ମଧ୍ୟ କରୁଛନ୍ତି ।

ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫ କିଲୋମିଟର ଦୂର ଚାଲାଣଗୁଡା ମଣ୍ଡିର । ମଣ୍ଡିକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି ଦଲାଲ । ମଣ୍ଡିରେ କିଏ କେତେ ଧାନ ବିକ୍ରୀ କରିବେ, କାହା ଟୋକନ ପାଇଁ ସୁପାରିଶ କରାଯିବା, ତାହା ପରିଚାଳିତ ହେଉଛି ଦଲାଲଙ୍କ ଦ୍ୱାରା । ଗୋଟିଏ ଟୋକନ ପାଇଁ ଡାଟା ଏଂଟ୍ରି ଅପରେଟରଙ୍କ ଠାରୁ ଆରମ୍ଭ କରି ମଣ୍ଡି ଅଧିକାରୀ, ସମସ୍ତେ ସାମିଲ ଏହି ଦଲାଲରାଜରେ । ଚାଲାଣଗୁଡା ମଣ୍ଡି ଏସ.ଏଚ.ଜି ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ମଣ୍ଡିରେ ଚାଲିଥିବା କଳା କାରନାମାକୁ ନିୟନ୍ତ୍ରଣ କରୁଛନ୍ତି ମହିଳାଙ୍କ ସ୍ୱାମୀ, ଭାଇ ଓ ସମ୍ପର୍କୀୟମାନେ ।

ଚାଷୀଙ୍କ ଚାତିରେ ଛୁରି ମାରି ମୋଟା ଅଙ୍କ ରୋଜଗାର କରୁଛନ୍ତି ଦଲାଲ । ଆଉ ଭାଗ ମାପରେ ଅସୁବିଧା ହେଲେ, ଚାଷୀଙ୍କ ଧାନକୁ ଚୋରି କରିବାକୁ ବି ପଛାଉ ନାହାନ୍ତି ଦଲାଲ । ଶୁଣନ୍ତି ୪୦ ହଜାର ଟଙ୍କା ଆଦାୟ କରିବା ଲାଗି କେମିତି ଧାନ ଚୋର କରନ୍ତି ଏହି ଦଲାଲମାନେ ।

ସରକାରୀ ସ୍ତରରେ ଏଫ୍ଏକ୍ୟୁ ମୂଲ୍ୟର ଧାନ ଲାଗି କ୍ୱିଂଟାଲ ପିଛା ୧୮୫୦ ଟଙ୍କା ରହିଛି । ହେଲେ ମାଲକାନଗିରି ମଣ୍ଡିରେ ଦଲାଲ ଓ ବେପାରୀମାନେ ଚାଷୀଙ୍କ ଠାରୁ  ୧୪୦୦ରୁ ୧୬୦୦ ଟଙ୍କାରେ କିଣି ନେଉଛନ୍ତି । ଆଉ ଚାଷୀଙ୍କ କାଗଜ ପତ୍ର ନିଜ ପାଖରେ ରଖିଥାନ୍ତି ମଣ୍ଡିକୁ ନିୟନ୍ତ୍ରଣ କରୁଥିବା ଦଲାଲ । ଜଣେ ଚାଷୀଙ୍କ ଟୋକନ ପିଛା ୬ ରୁ ୧୦ହଜାର ଟଙ୍କା ରୋଜଗାର କରୁଛନ୍ତି ଦଲାଲ ।