କନ୍ଧମାଳର ବ୍ରାହ୍ମଣୀ ନୂଆଗାଁ ଅଞ୍ଚଳରେ ଆଦିବାସୀଙ୍କ ମେଳି । ଜୋରଜବରଦସ୍ତ ଦଳିତଙ୍କ ବିଲରେ ପଶି କଲେ ହଳ । ଥାନାରେ ଏତଲା । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୃତି ।

157

କନକ ବ୍ୟୁରୋ : ଆଦିବାସୀମାନେ ଏକଜୁଟ ହେଲେ । ଜୋର ଜବରଦସ୍ତ ଦଳିତବର୍ଗଙ୍କ ପଟ୍ଟା ଜମିରେ ଚାଷ କଲେ । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅଂଚଳରେ ଘଟିଛି ଏହି ଘଟଣା । ଗଡମା, କୁଟଲାରୀ ଗାଁ ଓ ବାଘପଡା ଗାଁର ଆଦିବାସୀମାନେ ସଂଘବଦ୍ଧ ହୋଇ ଅନୁସୂଚିତଜାତି ବର୍ଗର ଲୋକଙ୍କ ପଟ୍ଟା ଜମିକୁ ଜବରଦଖଲ କରିଛନ୍ତି । ଶହ ଶହ ଆଦିବାସୀ ଏକଜୁଟ ହୋଇ ଜମିରେ ପହଂଚି ବଳପୂର୍ବକ ହଳ କରି ଧାନ ବୁଣିଛନ୍ତି । ଆଦିବାସୀମାନେ ସଂଘବଦ୍ଧ ହୋଇ ଆସିଥିବାରୁ ଭୟରେ କେହି ପାଖକୁ ଯାଇନଥିଲେ । ଏନେଇ ଜମିମାଲିକମାନେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଥାନା ଅଧିକାରୀ ରାଜସ୍ୱ ଅଧିକାରୀଙ୍କ ସହାୟତାରେ ଜମିର ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ବ୍ରାହ୍ମଣୀ ଗାଁ ଥାନା ଅଂଚଳର ଅନୁସୂଚିତଜାତି ବର୍ଗର ଲୋକଙ୍କ ଜମିକୁ ଜୋରଜବରଦସ୍ତ କବଜା କରିବା ନୂଆ ଘଟଣା ନୁହେଁ । ୨୦୦୧ରେ ପ୍ରଥମ କରି ଲୋକସଂଗ୍ରାମ ମଂଚର ନେତୃତ୍ୱରେ ଆଦିବାସୀମାନେ ଅଂଚଳର ଦଳିତଙ୍କ ଜମିରେ ଚାଷ କରିଥିଲେ ।

ଏହାରି ସୁଯୋଗରେ ଦାରିଂବାଡି ଅଂଚଳକୁ ମାଓବାଦୀ ପ୍ରବେଶ କରି କାୟା ବିସ୍ତାର କରିଥିଲେ । ଏବେ ୨୦ ବର୍ଷ ପରେ ପୁଣି ସେହିଭଳି ପରିସ୍ଥିତି ଗଡମା, କୁଟଲାରୀ ଓ ବାଘପଡା ଗାଁରେ ସୃଷ୍ଟି ହୋଇଛି । ଏହାକୁ ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।