ମାଲକାନଗିରି ମାଥିଲି ବ୍ଲକରେ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଡାକ୍ତରୀ ଦଳ : ଆତଙ୍କିତ ନହେବାକୁ ଘର ଘର ବୁଲି ଦେଉଛନ୍ତି ପରାମର୍ଶ

128

କନକ ବ୍ୟୁରୋ : ଲୋକଙ୍କ ମନରେ ସୃଷ୍ଟି ହୋଇଥିବା କରୋନା ଆତଙ୍କ ଦୂର କରିବାକୁ ମାଲକାନଗିରିରେ ଅଂଟା ଭିଡିଛନ୍ତି ଡାକ୍ତରୀ ଦଳ । ମାଥିଲି ବ୍ଲକ ସଦରର ବିଭିନ୍ନ ଆଦିବାସୀ ପଡା ଗାଁରେ ରାତିରେ ଘରକୁ ଘର ବୁଲି ସଚେତନତା କରିଛନ୍ତି ଡାକ୍ତର । ଲୋକଙ୍କୁ କରୋନା ସମ୍ପର୍କରେ ବୁଝାଇବା ସହିତ କିପରି ଭାବେ ଏହି ଭାଇରସ୍ରୁ ଦୂରେଇ ରହି ହେବ ସେ ନେଇ ସଚେତନ କରିଛି ଏହି ଟିମ୍ । ମାଥିଲି ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ ପରେ ଆଦିବାସୀ ଗାଁରେ ବୁଲି ସଚେତନତା କରାଯାଇଛି । କରୋନାକୁ ନେଇ ଆତଙ୍କିତ ନ ହୋଇ ସଚେତନତା ଓ ସତର୍କ ରହିବାକୁ ଲୋକଙ୍କୁ ବୁଝାଇଛନ୍ତି ଡାକ୍ତରୀ ଦଳ ।

ସେପଟେ କରୋନା ସଂକ୍ରମଣକୁ କାବୁ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସ୍କୁଲ, କଲେଜ, ମଲ ସମେତ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକୁ ବନ୍ଦ କରିବା ପରେ ଏବେ କିଛି ଟ୍ରେନ ଯାତ୍ରା ବାତିଲ କରାଯାଇଛି । ମଙ୍ଗଳବାର ରେଲବାଇ ବିଭାଗ ମୋଟ ୭୬ଟି ଟ୍ରେନକୁ ବାତିଲ କରିଛି । ଏଥିରେ ମେଲ, ଏକ୍ସପ୍ରେସ ଓ ରାଜଧାନୀ ଭଳି ଟ୍ରେନ ରହିଛି । ଏହାଛଡା ହଲ୍ଟ ସମୟରେ କୀଟାଣୁ, ଜୀବାଣୁ ନାଶକ ଔଷଧ ପକାଇ ରେଳ ଗାଡିର ସଫେଇ କରାଯାଇଛି । ଅନ୍ୟପଟେ ରେଳ କର୍ମଚାରୀଙ୍କ ମଧ୍ୟ କିଛି ନିର୍ଦ୍ଦେଶାବଳୀ ଜାରି କରିଛି ରେଳବାଇ ବିଭାଗ । ଜ୍ୱର, ଥଣ୍ଡା, ଶର୍ଦ୍ଦି, କାଶ ହେଉଥିବା କର୍ମଚାରୀ ଟ୍ରେନ କ୍ୟାଟରିଙ୍ଗ କାମରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।