ମାଲକାନଗିରିରେ ଘନଉଛି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ବିବାଦ : ଜିଲ୍ଲାପାଳଙ୍କ ବଦଳି ଦାବିରେ ଜିଲ୍ଲା କଂଗ୍ରେସର ବନ୍ଦ ପାଳନ,ଦୋକାନ ବଜାର ବନ୍ଦ

192

କନକ ବ୍ୟୁରୋ : ଟ୍ରେଡ ୟୁନିୟନର ୨୪ ଘଂଟିଆ ଭାରତ ବନ୍ଦ ଡାକରାର ଦିନକ ପରେ ଆଉ ଏକ ବନ୍ଦର ସାମ୍ନା କରିଛି ମଲକାନଗିରି ଜିଲ୍ଲା । ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ଅସ୍ୱାଭାବିକ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ ଜିଲ୍ଲାକୁ ସଂପୂର୍ଣ୍ଣ ଅଚଳ କରିଛି ଜିଲ୍ଲା କଂଗ୍ରେସ । ଏହାସହ ଜିଲ୍ଲା ପ୍ରଶାସନ ବହୁ ଦୁର୍ନୀତିରେ ଲିପ୍ତ ଥିବା ନେଇ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ । ତେବେ କଂଗ୍ରେସ ମୃତ ବ୍ୟକ୍ତିଙ୍କୁ ନେଇ ହୀନ ରାଜନୀତି କରୁଥିବା ଅଭିଯୋଗ କରିଛି ବିଜେଡି, ବି.ଜେ.ପି ଓ ଜିଲ୍ଲାର କୋୟା ଆଦିବାସୀ ଯୁବକ ସଙ୍ଗଠନ ।

ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କୁ ଦାୟୀ କରି ବନ୍ଦ ପାଳନ କରିଛି ଜିଲ୍ଲା କଂଗ୍ରେସ । ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି, ପିକେଟିଂ କରି ଜନଜୀବନ ଠପ୍ କରିଥିଲେ କଂଗ୍ରେସ କର୍ମୀ । ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ କୁଶ ପୁତଳିକା ଦାହ କରିଥିଲେ ଆନ୍ଦୋଳନକାରୀ । ଜିଲ୍ଲାପାଳଙ୍କ ଚାପ ଯୋଗୁଁ ଦେବ ନାରାୟଣ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି ମାଲାନକିଗିର କଂଗ୍ରେସ ।

କଂଗ୍ରେସ ବନ୍ଦ ପାଳନକୁ ବିରୋଧ କରିଛି ମାଲକାନଗିରି ଯୁବ କୋୟା ସମାଜ । ଆଗମୀ ଦୁଇ ଦିନ ମଧ୍ୟରେ କୋୟା ସମାଜ, କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସେପଟେ ପି.ଏ ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କୁ ପରିବାର ଲୋକେ ଦାୟୀ କରିନଥିବା ବିଜେପି କହୁଥିବା ବେଳେ ବିଜେଡି ସାଂସଦ କହିଛନ୍ତି ମୃତ ବ୍ୟକ୍ତିଙ୍କୁ ନେଇ ହୀନ ରାଜନୀତି କରୁଛି କଂଗ୍ରେସ ।

ଗତ ୨୮ ତାରିଖରେ ପି.ଏ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତିଗୁଡା ଜଳ ଭଣ୍ଡାରରୁ ଉଦ୍ଧାର ହୋଇଥିଲା । ପରବର୍ତୀ ସମୟରେ ଜିଲ୍ଲାପାଙ୍କ ନାଁରେ ଥାନାରେ ଏତଲା ଦେଇଥିଲା କଂଗ୍ରେସ ଦଳ ।