ଟିକେଟ ପାଇବା ପରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ମହାରଥୀ ! ବିଜେଡ଼ି ସୁପ୍ରିମୋଙ୍କୁ ଦେଲେ ସମସ୍ତ ଶ୍ରେୟ

512

କନକ ବ୍ୟୁରୋ : କାନ୍ଦିଲେ ମହାରଥୀ । ଟିକେଟ ପାଇବା ପରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ ପ୍ରଦୀପ ମହାରଥୀ । ପୁଣି ଥରେ ପିପିଲି ପାଇଁ ଟିକେଟ ପାଇଛନ୍ତି ବିଧାୟକ ପ୍ରଦୀପ ମହାରଥୀ । ପିପିଲି ବିଧାନସଭା ଆସନ ପାଇଁ ଗତକାଲି ପ୍ରଦୀପ ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୃତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୩ ତାରିଖରେ ଏହି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଦୀପ ମହାରଥୀଙ୍କୁ ଟିକେଟ୍ ଦେଇଛି ବିଜୁ ଜନତା ଦଳ । ତେବେ ଟିକେଟ ପାଇବା ପରେ ବିଜେଡ଼ି ସୁପ୍ରିମୋଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ମହାରଥୀ । ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ପୁଣି ଥରେ ପିପିଲିରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀ । ଜଗନ୍ନାଥଙ୍କ ଆଶିର୍ବାଦ ଓ ଓଡ଼ିଶାର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକଙ୍କ ଯୋଗୁଁ ଟିକେଟ ମିଳିଛି । ପିପିଲି ଜନସାଧାରଣଙ୍କ ଆଶିର୍ବାଦରେ ପାଇଛି । ଲୋକଙ୍କର ବିଶ୍ୱାସ, ଭଲପାଇବା କେବେ ଭୁଲି ପାରିବି ନାହିଁ ବୋଲି କହିଛନ୍ତି ମହାରଥୀ । ପିପିଲିରେ ଲଗାତାର ଜିତି ଆସୁଥିବା ମହାରଥୀଙ୍କ ଲୋକପ୍ରିୟତା ଏବେ ବି ରହିଛି । ଦଳର ହେଭିୱେଟ ନେତାଙ୍କ ମଧ୍ୟରେ ସେ ଅନ୍ୟତମ । ବେଶ କିଛି ଦିନ ଧରି ପିପିଲି ଟିକେଟ ନେଇ ଦ୍ୱନ୍ଦ୍ୱ ସୃ୍ଷ୍ଟି ହୋଇଥିଲା । ପ୍ରଦୀପ ମହାରଥୀଙ୍କୁ ଟିକେଟ ମିଳବ ନା ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଥିଲେ । ମହାରଥୀଙ୍କ ସ୍ଥାନରେ ତାଙ୍କ ପତ୍ନୀ କିମ୍ବା ପୁଅଙ୍କୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସବୁ ଚର୍ଚ୍ଚା ଓ ସମ୍ଭାବନାରେ ପୂର୍ଣ୍ଣଛେଦ ପକାଇ ମହାରଥୀଙ୍କୁ ଟିକେଟ୍ ଦେଲେ ବିଜେଡ଼ି ସୁପ୍ରିମୋ ।

ବିଜେଡ଼ିର ଜନ୍ମଠାରୁ ପିପିଲି ବିଜେଡ଼ି ଗଡ଼ ଭାବରେ ପରିଚିତ । ପ୍ରଦୀପ ମହାରଥୀ ଲଗାତାର ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡ଼ି ଟିକେଟରୁ ନିର୍ବାଚନ ଜିତିଛନ୍ତି । ଏଥର ପୁଣି ଥରେ ପିପିଲିରୁ ଭାଗ୍ୟପରୀକ୍ଷା କରିବେ ମହାରଥୀ । ତା’ପୂର୍ବରୁ ୧୯୮୫ ଓ ୧୯୯୦ରେ ଜନତା ଦଳରୁ ମଧ୍ୟ ଦୁଇଥର ନିର୍ବାଚନ ଜିତିଥିଲେ ପ୍ରଦୀପ ମହାରଥୀ ।

ବିଜେଡ଼ି ତରଫରୁ ଗତକାଲି ଆଉ ୯ଟି ବଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସେମାନଙ୍କ ଭିତରୁ ୫ ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି । କିଛି ନେତା ନବୀନଙ୍କ ଆସ୍ଥା ଓ ବିଶ୍ୱାସକୁ ବଜାୟ ରଖିଛନ୍ତି । ଆଉ ସେଥିପାଇଁ ସେମାନଙ୍କୁ ପୁଣି ଥରେ ଟିକେଟ ମିଳିଛି । ଆଉ କିଛି ନେତୃତ୍ୱ ପରିବର୍ତ୍ତନ କରିଛନ୍ତି ବିଜେଡ଼ି ସୁପ୍ରିମୋ । ସୂଚନାଯୋଗ୍ୟ ପୂର୍ବରୁ ପିପିଲିରୁ ନିର୍ବାଚନ ଲଢ଼ିବେ ବୋଲି ଦୃଢ଼ୋକ୍ତି କରିଥିଲେ ମହାରଥୀ । ପିପିଲିରେ ତାଙ୍କ ବିପକ୍ଷରେ କେହି ପ୍ରତିନ୍ଦ୍ୱନ୍ଦି ନାହାନ୍ତି ତଥା ସେଠାରେ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ମଧ୍ୟ କହିଥିଲେ ।