ମାନୁନାହାନ୍ତି ମହାରଥୀ : ପୁଣି ସରକାରଙ୍କୁ ଅକଳରେ ପକାଇବା ସହ ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦି ପକାଇଲେ ଦଳୀୟ ବିଧାୟକ

1,293

କନକ ବ୍ୟୁରୋ : ମାନୁନାହାନ୍ତି ମହାରଥୀ । ପୁଣି ସରକାରଙ୍କୁ ଅକଳରେ ପକାଇଲେ ଦଳୀୟ ବିଧାୟକ । ପିଲା ଜନ୍ମକରି ବାଞ୍ଝ ଦୋଷରୁ ମୁକ୍ତି ପାଇଲେ ଚଳିବନି । ପିଲାଙ୍କ ଲାଳନପାଳନ କରିବା ଆବଶ୍ୟକ । ପାଇଖାନା ପ୍ରସଙ୍ଗରେ ଆଜି ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ । ସ୍କୁଲରେ ହୋଇଥିବା ପାଇଖାନା ବ୍ୟବସ୍ଥାକୁ ନେଇ ଶିକ୍ଷାମନ୍ତ୍ରୀଙ୍କୁ ବାଣ ମାରିଛନ୍ତି । ସ୍କୁଲ ଗୁଡ଼ିକରେ ବହୁତ ପାଇଖାନା ହୋଇଛି । ହେଲେ ସେଗୁଡ଼ିକରେ ପାଣିର ସୁବିଧା ହୋଇଛି କି, ନିୟମିତ ସେଗୁଡ଼ିକ ସଫା ହେଉଛି କି ବୋଲି ପ୍ରଶ୍ନ ବାଣରେ ସମୀର ଦାସଙ୍କୁ ଛନ୍ଦି ପକାଇଲେ ।

ଗଣଶିକ୍ଷାମନ୍ତ୍ରୀ ଆଜି ଗୃହରେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗୀତାରେ ରାଜ୍ୟରେ ୧୬ ହାଜର ୧୧୭ଟି ଇଂରାଜୀ ବିଦ୍ୟାଳୟରେ ପାଇଖାନା ତିଆରି ହୋଇଛି । ୨୮୮ଟି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପାଇଖାନା ତିଆରି ହୋଇଛି । କେବଳ କେନ୍ଦ୍ରାପଡ଼ାର ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଇଖାନା ବ୍ୟବସ୍ଥା ହୋଇପାରି ନାହିଁ । ସେହିପରି ୧୧ଟି ସରକାରୀ ଅନୁଦାନପ୍ରାପ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଇଖାନା ସୁବିଧା ନାହିଁ । ଜାଗା ଅସୁବିଧା ଯୋଗୁଁ ପାଇଖାନା ହୋଇପାରୁନି  । ତେବେ ବିଭାଗ ଏ ଉପରେ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ମନ୍ତ୍ରୀଙ୍କ ଏହି ତଥ୍ୟ ପରେ ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ହଲାପଟା କରିଛନ୍ତି ପ୍ରଦୀପ ମହାରଥୀ । ଗତକାଲି ପାନୀୟ ଜଳ ନେଇ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରି ଘାଇଲା କରିଥିବା ବେଳେ ଆଜି ପୁଣି ପ୍ରଶ୍ନବାଣରେ ମନ୍ତ୍ରୀଙ୍କୁ ଘାଇଲା କରିଛନ୍ତି । ବାରମ୍ବାର ନିଜ ଦଳର ବିଧାୟକଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠାଉଛନ୍ତି ମହାରଥୀ । ଯାହା ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ବିରୋଧୀଙ୍କୁ ଏକ ବଡ଼ ମୌକା ଆଣି ଦେଇଛି ।