ମହାରାଷ୍ଟ୍ର ମହାନାଟକରେ ପଡିପାରେ ଯବନୀକା : ସରକାର ଗଠନ ନେଇ ଏନସିପି ଓ କଂଗ୍ରେସ ସହମତ ପରେ ଆଜି ଶିବସେନା ସହ ବୈଠକ,ବିଳମ୍ବିତ ରାତିରେ ଶରଦ ପାୱାରଙ୍କୁ ଭେଟିଲେ ଶିବସେନା ନେତା

148

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଲାଗି ରହିଛି ହଲଚଲ । ଏନସିପି ଓ କଂଗ୍ରେସ ମଧ୍ୟରେ ସରକାର ଗଠନ ନେଇ ସହମତି ହେବା ପରେ ଆଜି ଶିବସେନା ସହ ଏନସିପି ଓ କଂଗ୍ରେସର ବୈଠକ ବସିବ । ଯଦି ଏହି ବୈଠକ ସଫଳ ହୁଏ, ତେବେ ଏନସିିପି-ଶିବସେନା ଓ କଂଗ୍ରେସର ସରକାର ଗଠନ ହେବ । ଆଉ ଏହି ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବ ଶିବସେନା । ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ଉଦ୍ଧବ ଠାକରେ ।

ତେବେ ଏହା ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି ଉଦ୍ଧବ ଠାକରେ , ତାଙ୍କ ପୁଅ ଆଦିତ୍ୟ ଠାକରେ ଏବଂ ସଞ୍ଜୟ ରାଉତ । ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ନେଇ ସେମାନଙ୍କ ମଧ୍ୟରେ ବେଶ କିଛି ଘଂଟା ଧରି ଆଲୋଚନା ହୋଇଥିବା ଜଣାପଡିଛି । ଏନସିପି ଓ କଂଗ୍ରେସର ତୁହାକୁ ତୁହା ବୈଠକ ମଧ୍ୟରେ ଦିଲ୍ଲୀ ସ୍ଥିତ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବାସଭବନରେ ଉଭୟ ଦଳର ନେତା ବିଚାରବିମର୍ଷ କରିଥିଲେ ।

ମହାରାଷ୍ଟ୍ରରେ ସରକାର ଗଠନ କରିବା ପ୍ରସଙ୍ଗରେ ଏହା ଶେଷ ବୈଠକ ବୋଲି ଚର୍ଚ୍ଚା ହେଉଛି । କାରଣ ସରକାର ବନାଇବା ପାଇଁ ଏନସିପି ଓ କଂଗ୍ରେସ ମଧ୍ୟରେ ସହମତି ପ୍ରକାଶ ପାଇଛି । ସମସ୍ତ ପ୍ରସଙ୍ଗରେ ଉଭୟ ଦଳ ଏକମତ ହୋଇଛନ୍ତି । ଉଭୟ ଦଳ ଆଜି ଶିବସେନା ସହ ବିଚାରବିମର୍ଷ କରିବା ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ ।

ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସରକାର ଗଠନ ପାଇଁ ଜୋରଦାର କସରତ କରୁଛନ୍ତି ଶିବସେନା, ଏନସିପି ଓ କଂଗ୍ରେସ । ଗତ କିଛି ଦିନ ଧରି ରାଜ୍ୟରେ ଦେଖାଦେଇଥିବା ଅଚଳାବସ୍ଥା ପରେ ଆଜି ଏଦିଗରେ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ଆଶା କରାଯାଉଛି ।