ମହାରାଷ୍ଟ୍ରରେ ଶିବସେନାର ସରକାର ନେଇ ସମ୍ଭାବନା : ଶରଦ ପାୱାରଙ୍କୁ ଭେଟିଲେ ଉଦ୍ଧବ ଠାକରେ,  ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଜଣାଇପାରନ୍ତି ଦାବି 

585

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଶିବସେନାର ସରକାର ଗଠନ ନେଇ ବଢ଼ିଲା ସମ୍ଭାବନା  । ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ଏକ ହୋଟେଲରେ ଚାଲିଛି ଉଭୟଙ୍କ ମଧ୍ୟରେ ଆଲୋଚନା । ଶରଦଙ୍କ ପୁତୁରା ତଥା ଏନସିପି ନେତା ଅଜିତ୍ ପାୱାର ଉପସ୍ଥିତ ଥିବା ସୂଚନା । ଆଉ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇପାରନ୍ତି ଉଦ୍ଧବ । ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ବି ବିଜେପି ସରକାର ଗଠନ କରିବାକୁ ମନାକରିଦେବା ପରେ ରାଜନୈତିକ ହଲଚଲ ବଢିଯାଇଛି ।

ନୂଆ ସରକାରକୁ ବାହାରୁ ସମର୍ଥନ ଦେଇପାରନ୍ତି ଏନସିପି ଓ କଂଗ୍ରେସ ।   ଅପରାହ୍ନ ୪ଟା ପରେ କଂଗ୍ରେସ ବୈଠକ ପରେ  ଏନେଇ ଔପଚାରିକ ଘୋଷଣା ହୋଇପାରେ । ଏହାପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଭେଟିପାରନ୍ତି ଶିବସେନା ନେତା । ସରକାର ଗଢିବା ପାଇଁ ବିଜେପି ଅକ୍ଷମତା ପ୍ରକାଶ କରିବା ପରେ ୫୬ ଆସନ ପାଇଥିବା ଶିବସେନାକୁ ଦ୍ୱିତୀୟ ବଡ ଦଳ ଭାବେ ସରକାର ଗଠନ କରିବାକୁ  ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ।

ସେପଟେ ଶିବସେନାକୁ କଂଗ୍ରେସ ସମର୍ଥନ ଦେବ କି ନାହିଁ ସେ ନେଇ ଦିନ ୪ଟା ପରେ ସ୍ଥିତି ସ୍ପଷ୍ଟ ହେବ । ଆଜି ସକାଳେ କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା । ପରେ ଅପରାହ୍ନ ୪ଟାରେ ବୈଠକ ବସି ଦଳ ନିଷ୍ପତ୍ତି ନେବ । ବୈଠକରେ ଯୋଗଦେବାକୁ ମହାରାଷ୍ଟ୍ରର ନେତାଙ୍କୁ ଡକାଯାଇଛି । ସକାଳେ ବସିଥିବା ସିଡବ୍ଲୁ ସି ବୈଠକରେ ମହାରାଷ୍ଟ୍ର ପ୍ରଭାରୀ ମଲ୍ଲିକାର୍ଜୁନ ଖଡଗେ ସୋନିଆ ଗାନ୍ଧିଙ୍କୁ ରାଜ୍ୟର ରାଜନୈତିକ ସ୍ଥିତି ନେଇ ଅବଗତ କରାଇଛନ୍ତି ।  ଏହା ସହ ସମସ୍ତ ବିଧାୟକ ସ୍ୱାକ୍ଷର ଥିବା ଏକ ପତ୍ର ସୋନିଆଙ୍କୁ ଦେଇଛନ୍ତି । ୪୪ ବିଧାୟକଙ୍କ ମଧ୍ୟରୁ ୩୭ ଜଣ ବିଧାୟକ ଶିବସେନାକୁ ସମର୍ଥନ ଦେବା ସପକ୍ଷରେ ଥିବା ଜଣାଯାଇଛି ।