ମହାକାଳପଡାରେ ନିମ୍ନମାନର ରାସ୍ତା କାମକୁ ନେଇ ଲୋକଙ୍କ ଅଭିନବ ପ୍ରତିବାଦ : ରାସ୍ତାରେ ଧାନ ଲଗାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକ

249

କନକ ବ୍ୟୁରୋ : ରାସ୍ତା ସମସ୍ୟାକୁ ନେଇ ଲୋକଙ୍କ ଅଭିନବ ପ୍ରତିବାଦ । ରାସ୍ତାରେ ରୋଇଲେ ଧାନ ତଳି ରୋଇବା ସହ ଟାୟାର ଜାଳି କଲେ ରାସ୍ତା ଅବରୋଧ । ବିରୋଧର ଏଭଳି ଚିତ୍ର ଦେଖିବାକୁ ମିଳିଛି ମହାକାଳପଡା ବ୍ଲକର ଓରତ ବିଜୟନଗର ରାସ୍ତାର ଓଳିହା ଗାଆଁରେ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ଓଳିହା ଗାଁରେ ରାସ୍ତା ନିର୍ମାଣ ଅତି ନିମ୍ନ ମାନର ହୋଇଛି । ବର୍ଷା ଦିନେ ଯାତାୟତରେ ଅନେକ ସମସ୍ୟା ହେଉଛି । ପ୍ରଶାସନକୁ ଜଣାଇଲେ କିଛି ସମାଧାନ ନହେବାରୁ ଶେଷରେ ଲୋକେ ବିରୋଧ ପାଇଁ ଏପରି ଏକ ବାଟ ବାଛି ନେଇଛନ୍ତି । 

ରାସ୍ତାରେ ବର୍ଷା ଦିନେ ପାଣି ଜମି ରହୁଥିବାରୁ ପ୍ରତିଦିନ ସ୍କୁଲ କଲେଜ ଯିବା ଆସିବାରେ ସମସ୍ୟାର ଶିକାର ହେଉଛନ୍ତି । ଶେଷରେ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ମହାକାଳପଡା ପୋଲିସ ଓ ତହସିଲଦାର ପହଁଚି ଲୋକଙ୍କୁ ବୁଝାସୁଝା କରି ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛନ୍ତି । ଆଗାମୀ ଦିନରେ ରାସ୍ତା ମରାମତି କାର୍ୟ୍ୟ ନକରା ଗଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ମାନେ ଚେତାଇ ଦେଇଛନ୍ତି ।