କନକ ବ୍ୟୁରୋ : କୁନି ବୟସରେ ବିଚକ୍ଷଣ ବକ୍ତା । ଆରିନ୍ ପ୍ରଧାନଙ୍କୁ ବୟସ ୪ ପୂରିନି। ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ୁଛନ୍ତି । ହେଲେ ଏଭଳି ବିଚକ୍ଷଣ ଭାଷଣ ଦେଉଛି ଯେ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ। ସ୍ବାଧୀନତା ଦିବସ ସଂପର୍କିତ ବକ୍ତବ୍ୟଠାରୁ ଆରମ୍ଭ କରି ସାଧାରଣତନ୍ତ୍ର ଦିବସ, ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପର୍ୟ୍ୟନ୍ତ ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ସଂପର୍କରେ ନିର୍ଭୁଲ ଭାବେ ଭାଷଣ ଦେଉଛି ଆରିନ୍ ।
ଗତ ସାଧାରଣତନ୍ତ୍ର ଦିବସରେ ବାଲିଅନ୍ତା ବ୍ଲକ ଅଧୀନ ମହୁଖଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ସଭାରେ ସେ ଦେଇଥିବା ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓଟି ଭାଇରାଲ ହେବା ପରେ ତାକୁ ବହୁ ଲୋକ ପସନ୍ଦ କରିଛନ୍ତି । ବଡ଼ କଥା ହେଉଛି, ଆରିନ ଦେଉଥିବା ଭାଷଣରେ ଉଚ୍ଚାରଣଗତ ତ୍ରୁଟି କି ବାକ୍ୟ କିମ୍ବା ବ୍ୟାକରଣଗତ ତ୍ରୁଟି ପରିଲକ୍ଷିତ ହେଉନାହିଁ। କୌଣସି ଜ୍ଞାନୀଗୁଣୀଜନଙ୍କ ବକ୍ତବ୍ୟ ଭଳି ଶ୍ରୋତା ଓ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ପ୍ରତିଭା ପ୍ରଦର୍ଶନ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ତାଙ୍କୁ ବିସ୍ମୟ ବାଳକ ବୋଲି କହୁଛନ୍ତି।
ଆରିନର ଭାଷଣ ପାଇଁ ଗ୍ରାମ କମିଟି ପକ୍ଷରୁ ପ୍ରଥମେ ସମ୍ବର୍ଦ୍ଧିତ କରାଯାଇଥିଲା । ଗତକାଲି ଅପରାହ୍ଣରେ ଜୟଦେବ କୃଷକ ମଞ୍ଚ ତରଫରୁ ଜୟଦେବଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବାଲିଅନ୍ତା ଅଞ୍ଚଳର ଦୁଇ ପ୍ରତିଭା ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଓ ବିସ୍ମୟ ବାଳକ ଆରିନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆରିନଙ୍କ ନିଜ ଘର ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ପଞ୍ଚୁପଲ୍ଲୀ ଗ୍ରାମରେ । ସୁକାନ୍ତ ପ୍ରଧାନ ଓ ମା’ ନୀରୋଜବାଳା ପ୍ରଧାନଙ୍କ ସେ ବଡ଼ ପୁଅ । ସୁକାନ୍ତ ଦିନମଜୁରି କରି ପରିବାର ଚଳାନ୍ତି । ଅଭାବ ଅନଟନ ଯୋଗୁଁ ଆରିନ୍ ମହୁଖଣ୍ଡ ସ୍ଥିତ ମାମୁଘରେ ରହି ପାଠ ପଢ଼ୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/18-3.jpg)