ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ: ରାଜ୍ୟପାଳଙ୍କୁ ଦେବେ ଇସ୍ତଫା ପତ୍ର,୧୫ ମାସରେ ଭାଙ୍ଗିଲା ସରକାର

1,755

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜନୈତିକ ନାଟକର ଅନ୍ତ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ । ପ୍ରେସ କନଫରେନ୍ସରେ ଇସ୍ତଫା ନେଇ ଘୋଷଣା କଲେ କମଲନାଥ । ସଂଖ୍ୟାଗରିଷ୍ଠତା ପ୍ରମାଣ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଇସ୍ତଫା ଘୋଷଣା କରିଛନ୍ତି  । କିଛି ସମୟ ମଧ୍ୟରେ ରାଜ୍ୟପାଳଙ୍କୁ ଭେଟି ସେ ନିଜ ଇସ୍ତଫା ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୨୨ ବିଧାୟକଙ୍କ ଇସ୍ତଫା ପରେ କମଲନାଥ ସରକାରଙ୍କ ପାଖରେ ବହୁମତ ନଥିଲା ।

ତେବେ ଇସ୍ତାଫା ଦେଇ ବିଜେପିକୁ ଟାର୍ଗେଟ କରିବା ସହ ସରକାରଙ୍କ ଉପଲବ୍ଧି ସବୁ ଗଣାଇଛନ୍ତି କମଲନାଥ।  ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ହେବା ଦିନରୁ ବିଜେପି ସରକାର ଭାଙ୍ଗିବାକୁ ଚେଷ୍ଟା ଚଳାଇଥିଲା ବୋଲି ଅଭିଯୋଗ କରିଛନ୍ତି କମଳନାଥ ।  ବିଜେପି ଘୋଡା ବେପାର କରିଥିବା ଅଭିଯୋଗ କରିଛନ୍ତି । ଜଣେ ମହାରାଜଙ୍କ ସହ ବିଜେପି ମିଶି ୨୨ଜଣ ବିଧାୟକଙ୍କୁ ବନ୍ଧକ ରଖିଲା ବୋଲି ଅଭିଯୋଗ ଆଣିଛନ୍ତି ।

ସେହିପରି କମଳନାଥ କହିଛନ୍ତି, କଂଗ୍ରେସ ସରକାର ଲୋକଙ୍କ ପାଇଁ କାମ କରୁଥିବା ବେଳେ ଏହା ସହ୍ୟ କରିପାରିଲାନି ବିଜେପି । ମଧ୍ୟପ୍ରଦେଶ ବାସୀ କେବେ ବିଜେପି କ୍ଷମା ଦେବେ ନାହିଁ ବୋଲି କହି କ୍ଷୋଭପ୍ରକାଶ କରିଛନ୍ତି କମଳନାଥ । କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ଅସ୍ଥିର ହୋଇପଡିଥିଲା ମଧ୍ୟପ୍ରଦେଶ ରାଜନୀତି । ଜନତା ପାଞ୍ଚ ବର୍ଷ ସେବା କରିବା ପାଇଁ ସୁଯୋଗ ଦେଇଥିଲେ । ହେଲେ ବିଜେପି ଷଡ଼ଯନ୍ତ୍ର କରି ସରକାର ଭାଙ୍ଗିଛି । ୧୫ ବର୍ଷ ବିଜେପିକୁ ମିଳିଥିଲା, ଆଉ କଂଗ୍ରେସକୁ ମାତ୍ର ୧୫ ମାସ । ଏହି ୧୫ ମାସରେ ରାଜ୍ୟର ଜନତା ସାକ୍ଷୀ ଅଛନ୍ତି ।

 ଆଉ ସେଥିପାଇଁ କଂଗ୍ରେସର ୨୨ ବିଧାୟକଙ୍କ କର୍ଣ୍ଣାଟକରେ ବନ୍ଧକ ରଖି ସରକାର ଭାଙ୍ଗି ଷଡ଼ଯନ୍ତ୍ର ରଚିଥିଲା । କେବଳ ଏତିକି ନୁହେଁ ବିଜେପି ଲୋକତନ୍ତ୍ର ମୂଲ୍ୟରେ ହତ୍ୟା କରିଛି । ମୋ ସହ ବିଶ୍ୱାସଘାତ କରାଯାଇଛି । ମଧ୍ୟପ୍ରଦେଶ ଜନତାଙ୍କ ସହ ବିଶ୍ୱାସଘାତ କରାଯାଇଛି ।  ରାଜ୍ୟ ସହ ଧୋକ୍କାଦାରୀ କରିଥିବା ଲୋଭୀ ଓ ବାଗୀଙ୍କୁ ସାଧାରଣ ଜନତା କ୍ଷମା କରିବେ ନାହିଁ ।

ସିନ୍ଧିଆଙ୍କ ସହ ଥିବା ୨୨ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ଯାହାପରେ କଂଗ୍ରେସ ସଂଖ୍ୟାଗରିଷ୍ଠତାରୁ ଦୂରେଇ ରହିଛି । ୨୩୧ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ କଂଗ୍ରେସ ହାତରେ ଥିଲା ୧୧୪ଟି ଆସନ । ତେବେ ୨୨ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ନିକଟରେ ରହିଛି ୯୨ଟି ଆସନ । ଏବେ ୨୦୬ଟି ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ରହିଛି ୧୦୪ । ତେବେ ବିଜେପି ହାତରେ ୧୦୫ଟି ଆସନ ରହିଛି । ଏବଂ ବିଜେପି ନିକଟରେ ସଂଖ୍ୟାଗରିଷ୍ଠତା ଥିବା ଦଳ ଦାବି କରିଥିଲା । ତେବେ ସୁପ୍ରିମକୋର୍ଟରେ ପହଂଚିଥିବା ଏହି ମାମଲାର ଶୁଣାଣୀ କରି ଆଜି ଫ୍ଲୋର ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଆଜି ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଘୋଷଣା କରିଛନ୍ତି କମଳନାଥ ।