ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗା ବୁଡ଼ିଲା : ୧୧ ମୃତ, ଉଦ୍ଧାର କାର୍ଯ୍ୟ ଜାରି 

267
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଗଣେଶ ବିସର୍ଜନ ବେଳେ ଅଘଟଣ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗା ବୁଡ଼ି ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଆଉ ପାଞ୍ଚ ଜଣ ନିଖୋଜ ଅଛନ୍ତି । ଭୋପାଳରର ଖାଟଲାପୁର ଘାଟରେ ଏହି ଅଘଟଣ ଘଟିଛି ।
ସୂଚନା ଅନୁସାରେ ଭୋପାଳର ଖାଟଲାପୁର ଘାଟକୁ ଏକ ପୂଜା କମିଟି ପକ୍ଷରୁ ଭଗବାନ ଗଣେଶଙ୍କ ପୂଜା ପରେ ବିରାଟ ଶୋଭାଯାତ୍ରାରେ ମୂର୍ତ୍ତି ବିସର୍ଜନ ପାଇଁ ନିଆଯାଇଥିଲା । ପୂଜା କମିଟିର ବହୁ ସଦସ୍ୟ ଡଙ୍ଗାରେ ବସି ବିସର୍ଜନ ପାଇଁ ହ୍ରଦ ଭିତରକୁ ଯାଇଥିଲେ । ଡଙ୍ଗାଟି ଛୋଟ ହୋଇଥିବା ବେଳେ ମୂର୍ତ୍ତି ବିସର୍ଜନ ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା । ଦୁର୍ଭାଗ୍ୟବଶତଃ ଯେଉଁମାନେ ମୁର୍ତ୍ତି ତଳେ ରହିଯାଇଥିଲେ ସେମାନେ ବାହାରି ପାରିନଥିଲେ ଓ ମୃତ୍ୟୁ ମୁଖରେ ପଡ଼ିଥିଲେ । ଏବେ ପର୍ଯ୍ୟନ୍ତ ୧୧ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଖାଟଲାପୁର ଘାଟ ପାଖରେ ପ୍ରାତଃ ସାଢ଼େ ୪ଟାରେ ଏହି ଘଟଣା ଘଟିଛି ।
ଡଙ୍ଗାବୁଡ଼ିବା ନେଇ ସୂଚନା ପାଇ ମଧ୍ୟପ୍ରଦେଶ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଜାରି ରଖିଛି । ରାଜ୍ୟର ଲୋକସଂପର୍କ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ପରିବାରକୁ ୪-୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।