ମଧ୍ୟପ୍ରଦେଶରେ କମଲନାଥ ସରକାରକୁ କିଛି ଦିନର ଆଶ୍ୱସ୍ତି : ଆଗାମୀ ୨୬ ତାରିଖ ଯାଏଁ ସ୍ଥଗିତ ହେଲା ବିଧାନସଭା, ଗୃହରେ ଏବେ ହେବନାହିଁ ଶକ୍ତି ପରୀକ୍ଷା

546

କନକ ବ୍ୟୁରୋ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଏବେ ଆଶ୍ୱସ୍ତି ମିଳିଛି । ଆସନ୍ତା ୨୬ ତାରିଖ ଯାଏଁ ବନ୍ଦ ରହିଲା ବିଧାନସଭା । ଆଜି ମଧ୍ୟପ୍ରଦେଶ ବିଧାନସଭା ଆରମ୍ଭ ହେବା ପରେ ରାଜ୍ୟପାଳ ଗୃହକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ପ୍ରତି ସଦସ୍ୟଙ୍କୁ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ । ବିଧାନସଭାରେ ସଦସ୍ୟମାନେ ମୁହଁରେ ମାସ୍କ ପିନ୍ଧି ବସିଥିବା ଦେଖିବାକୁ ମିଳିଥିଲା । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ପରେ ଗୃହକୁ ଆସନ୍ତା ୨୬ ତାରିଖ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଥି ସହିତ ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ପାଇଁ ଶକ୍ତି ପରୀକ୍ଷାର ଚ୍ୟାଲେଂଜ ବି କିଛି ଦିନ ପାଇଁ ଟଳି ଯାଇଛି । ଏବେ ଯାହା କିଛି ନିଷ୍ପତି ଆସନ୍ତା ୨୬ ତାରିଖ ପରେ ନିଆଯିବ ।

ଗତକାଲି ରାତି ପ୍ରାୟ ୧୨ଟା ୨୦ରେ ରାଜ୍ୟପାଳଙ୍କୁ ଭେଟିଥିଲେ କମଳନାଥ । ଏହାପରେ କମଳନାଥ କହିଥିଲେ, ବିଧାନସଭା ଶାନ୍ତିପୂର୍ବକ ଚାଲିବା ନେଇ ସେ ରାଜ୍ୟପାଳଙ୍କ ସହ କଥାବାର୍ତା କରିଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି କମଳନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଧାନସଭାରୁ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶ ସରକାରରେ ଅସ୍ଥିରତା ଦେଖାଦେଇଛି । ସରକାର ଏକପ୍ରକାର ଅଳ୍ପମତକୁ ଆସିଯାଇଛି । ବିଜେପି ଆସ୍ଥାଭୋଟ ପାଇଁ ଦାବି କରିଥିବାବେଳେ କମଳନାଥ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି ।