ଚଳିତ ବର୍ଷରେ ତୃତୀୟ ଥର ପାଇଁ ଖୋଲିିଲା ରାୟଗଡା ମଝିଘରିଆଣୀ ମନ୍ଦିର ହୁଣ୍ଡି : ସକାଳୁ ଚାଲିଛି ଦାନ ଟଙ୍କା ଗଣିତ,  ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟଙ୍କା ଗଣୁଛନ୍ତି ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ

649

କନକ ବ୍ୟୁରୋ : ଚଳିତ ବର୍ଷରେ ତୃତୀୟ ଥର ପାଇଁ ଖୋଲିଛି ମଝି ଘରିଆଣୀଙ୍କ ହୁଣ୍ଡି । ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣୀଙ୍କ ହୁଣ୍ଡିରୁ ବାହାରିଥିବା ଟଙ୍କା ଗଣତି ସକାଳୁ ଜାରି ରହିଛି । ଏହି ଗଣତି ପ୍ରକ୍ରିୟା ରାତି ୮ଟା ଯାଏଁ ଚାଲିବ ବୋଲି ଜଣାପଡିଛି । ମାଆଙ୍କ ହୁଣ୍ଡିରୁ ଟଙ୍କା ସହ ସୁନା ରୂପା ମଧ୍ୟ ବାହାରି ଥାଏ । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ହୁଣ୍ଡି ଟଙ୍କା ଗଣତି ଦାୟିତ୍ୱ ନେଇଥିବା ବେଳେ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦାନ ଟଙ୍କା ଗଣତି ଚାଲିଛି । ଟଙ୍କା ଗଣତି କାମରେ ଲାଗିଛନ୍ତି ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ, ସ୍ଥାନୀୟ ସତ୍ୟସାଇ ଅନୁଷ୍ଠାନ ଓ ଭେଙ୍କେଟେଶ୍ୱର  ମନ୍ଦିର କମିଟି ସଦସ୍ୟ । 

ଟଙ୍କା ଗଣିବା ପାଇଁ ମେସିନ ମଧ୍ୟ ମଝି ଘରିଆଣୀଙ୍କ ମନ୍ଦିରରେ ରଖାଯାଇଛି । ମାଆଙ୍କ ଦର୍ଶନ ପାଇଁ ରାୟଗଡା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ଲୋକ ମାନେ ଆସିଥାନ୍ତି । ଆଉ ଦାନ ସୂତ୍ରରେ ମାଆଙ୍କ ହୁଣ୍ଡିରେ ଟଙ୍କା ଓ ସୁନା ରୂପା ପକାଇଥାନ୍ତି । ପ୍ରତି  ୩ ମାସରେ ଥରେ ମାଆଙ୍କୁ ହୁଣ୍ଡି ଖୋଲାଯାଇଥାଏ । ଗତ ଜୁନ୍ ମାସରେ ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ୬୩ ଲକ୍ଷ ଟଙ୍କା ୧୦୨ ଗ୍ରାମ ସୁନା ଓ ୨ କେଜି ରୂପା ବାହାରିଥିଲା । ଏଥର ମଧ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ବାହାରିବ ବୋଲୁ ଅନୁମାନ କରାଯାଉଛି ।