ସମ୍ପୂର୍ଣ୍ଣ ସୁସ୍ଥ ନୁହଁନ୍ତି କରୋନାମୁକ୍ତ ବ୍ୟକ୍ତି । କରୋନାରୁ ସୁସ୍ଥ ୯୦% ବ୍ୟକ୍ତିଙ୍କ ଫୁସଫୁସ୍ ଖରାପ୍ । ଚାଲିବାରେ କଷ୍ଟ ଅନୁଭବ କରୁଛନ୍ତି ସୁସ୍ଥ ବ୍ୟକ୍ତି । ଭାଇରସର କେନ୍ଦ୍ରସ୍ଥଳ ବୁହାନରୁ ଆସିଲା ସାଂଘାତିକ ଖବର

1,307

କନକ ବ୍ୟୁରୋ : ସମ୍ପୂର୍ଣ୍ଣ ସୁସ୍ଥ ନୁହଁନ୍ତି କରୋନାମୁକ୍ତ ବ୍ୟକ୍ତି । କରୋନା ଭାଇରସର କେନ୍ଦ୍ରସ୍ଥଳ ବୁହାନରୁ ଆସିଲା ସାଂଘାତିକ ଖବର । ବୁହାନର ମୁଖ୍ୟ ହସ୍ପିଟାଲରୁ ଠିକ ହୋଇଥିବା ୧୦୦ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ନିଆଯାଇଥିବା ନମୂନା ସଂଗ୍ରହ କରାଯାଇ ଏକ ଅଧ୍ୟୟନ ହୋଇଥିଲା । ଆଉ ଏହି ଅଧ୍ୟୟନରୁ ଜଣାପଡ଼ିଛି ୯୦ ପ୍ରତିଶତ ବ୍ୟକ୍ତିଙ୍କର ଫୁସଫୁସକୁ ଭୟଙ୍କର କ୍ଷତି ପହଞ୍ଚିଥିଛି । କେବଳ ଏତିକି ନୁହେଁ ଭାଇସକୁ ମାତ ଦେବାପରେ ବି ଠିକରେ ଚାଲି ପାରୁନାହାନ୍ତି ସୁସ୍ଥ ବ୍ୟକ୍ତି । ଅନ୍ୟପଟେ ୫ ପ୍ରତିଶତ ଲୋକ ଆଉ ଥରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି । ମିଡ଼ିଆରେ ଏହି ଖବର ପ୍ରଘଟ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚୀନ୍ ସରକାର ।

ବୁହାନ ବିଶ୍ୱବିଦ୍ୟାଳୟ ଝୋଙ୍ଗନନ୍ ହସ୍ପିଟାଲରେ ୧୦୦ ରୋଗୀଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏକ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଏହି ଅଧ୍ୟୟନର ଫଳାଫଳ ଜୁଲାଇରେ ଆସିଛି । ୬୦ ବର୍ଷୀୟ ୧୦୦ ଜଣ ବ୍ୟକ୍ତିଙ୍କୁ ନେଇ ହୋଇଥିଲା ଏହି ଅଧ୍ୟୟନ । କରୋନାକୁ ହରାଇବା ପରେ ମଧ୍ୟ ୯୦ ପ୍ରତିଶତ ରୋଗୀଙ୍କ ଫୁସଫୁସ ସ୍ଥିତି ଠିକ ନାହିଁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁସ୍ଥ ଲୋକଙ୍କ ପରି ନିଶ୍ୱାସପ୍ରଶ୍ୱାସ ନେଇପାରୁନାହାନ୍ତି । କେବଳ ଏତିକି ନୁହେଁ କରୋନାରୁ ଠିକ ହୋଇଥିବା ବ୍ୟକ୍ତି ଭଲରେ ଚାଲିପାରୁ ନାହାନ୍ତି ।

ଜଣେ ସୁସ୍ଥ ବ୍ୟକ୍ତି ୬ ମିନିଟରେ ୫୦୦ ମିଟର ଚାଲଥିବା ବେଳେ ଏମାନେ ୪୦୦ ମିଟର ହିଁ ଚାଲିପାରୁଛନ୍ତି ।
ଆଉ ଏକ ସାଂଘାତିକ ଦିଗ ହେଲା କରୋନାକୁ ମାତ୍ ଦେବା ପରେ ରୋଗୀ ଏବେ ଅବସାଦ ଓ ସାମାଜିକ ବାସନ୍ଦ ଭୟରେ ଜୀବନ ବିତାଉଛନ୍ତି । ପରିବାର ଲୋକ ବି ତାଙ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସୂଚନା ଅନୁସାରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧାରୁ ବହୁତ କମ ବ୍ୟକ୍ତି କାମକୁ ଫେରୁଛନ୍ତି ।