ଜୀବନ ନେଉଛି କରୋନା କଟକଣା । ତାଲାବନ୍ଦରେ ସିଜ୍ ହେଲା ବାଇକ୍  । ବିଳମ୍ବରେ ଅଫିସ୍ ପହଞ୍ଚିବାରୁ ଚାଲିଗଲା ଚାକିରି  । ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କଲା ଏକମାତ୍ର ରୋଜଗାରିଆ ପୁଅ 

1,131

କନକ ବ୍ୟୁରୋ : ସଂକ୍ରମଣ ଭିତରେ କାଳ ହେଲା କରୋନା କଟକଣା । ତାଲାବନ୍ଦରେ ବାଇକ୍ ନେଇ ଗଲା ବେଳେ ବାଇକ୍ ସିଜ୍ କଲା ପୋଲିସ୍ । ଆଉ ବାଇକ୍ ସିଜ୍ ହେବାପରେ ଚାକିରିରୁ ବାହାର କରିଦେଲା କମ୍ପାନୀ । ଚାକିରି ଚାଲିଯିବାରୁ ଆତ୍ମହତ୍ୟା କଲେ ୨୫ ବର୍ଷିୟ ଯୁବକ । ରୋଗୀଣା ମା’ବାପା ପୁଅକୁ ହରାଇଲେ । ଆଉ ତାଲାବନ୍ଦରେ ସବୁଦିନ ପାଇଁ ହଜିଗଲା ଦୁଇ ଭଉଣୀଙ୍କ ଭାଇ ଡାକ ।

ଲକ୍ଷ୍ନୌର ୨୫ ବର୍ଷୀୟ ଯୁବକ ଆଦିତ୍ୟ ମିଶ୍ର । ଘରର ଏକମାତ୍ର ରୋଜଗାରିଆ ପୁଅ । ସେ କାମକୁ ଗଲେ ଚୁଲି ଜଳେ, ନହେଲେ ରୋଷେଇ ବନ୍ଦ । ବାପାମା’ ରୋଗାଗ୍ରସ୍ତ । ମୁଣ୍ଡ ଉପରେ ଦୁଇ ଭଉଣୀଙ୍କ ପାଠପଢ଼ା ସହିତ ବିଭାଘର ବୋଝ । ଘର ଚଳାଇବା ପାଇଁ ସେ ଏକ କୋରିୟର କମ୍ପାନୀରେ କାମ କରୁଥିଲେ । ତାଲାବନ୍ଦରେ କର୍ମଚାରୀ କମାଇବାକୁ ସରକାରୀ ନିର୍ଦ୍ଦେଶ ଆସିବା ପରେ ଡେସ୍କରେ କାମ କରୁଥିଲେ ସୁଦ୍ଧା ତାଙ୍କୁ ଫିଲ୍ଡକୁ ଯାଇ କାମ କରିବାକୁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଆସିଥିଲା ।

ଫଳରେ ମେ ୧୭ ତାରିଖ ଦିନ ଆଦିିତ୍ୟଙ୍କୁ କୋରିୟର ପହଞ୍ଚାଇବା ପାଇଁ କମ୍ପାନୀ ଫିଲ୍ଡକୁ ପଠାଇ ଦେଇଥିଲା । ହେଲେ ବାଇକରେ ଦୁଇ ଜଣ ବସିଥିବା ଦେଖି ପୋଲିସ୍ ବାଇକ୍ ସିଜ୍ କରିଦେଲା । ଚାକିରି ଚାଲିଯିବ କହି ପୋଲିିସ କର୍ମଚାରୀଙ୍କ ଗୋଡ଼ହାତ ଧରିପକାଇଥିଲେ ଆଦିତ୍ୟ । ଯେତେ ନେହୁରା ହେଲେ ବି ଖାକି ବର୍ଦ୍ଦି ତଳେ ଥିବା ଶକ୍ତ ହୃଦୟ ତରଳିଲାନି, କି ବାଇକ୍ ମିଳିଲାନି । ବୋଝ ଉପରେ ନଳିତା ବିଡ଼ା ପରି କମ୍ପାନୀ ବାଧ୍ୟତାମୂଳକ ଭାବେ ତାଙ୍କୁ ଛୁଟି ଦେଇଦେଲା । ଆଉ ଛୁଟିରୁ ଫେରିବା ପରେ ବାଇକ୍ ନଥିବା ଦର୍ଶାଇ ଆଦିତ୍ୟଙ୍କୁ କମ୍ପାନୀରୁ କାଢ଼ି ଦିଆଗଲା ।

ଏକା ଘର ଚଳାଉଥିବା ଆଦିତ୍ୟ ଏକଥାକୁ ସହ୍ୟ କରି ପାରିନଥିଲେ । ଚାକିରି ଯିବା ପରେ ଘରେ ଏକୁଟିଆ ଗୁମସୁମ୍ ବସି ରହୁଥିଲେ । ଘରେ ବସି ବସି ମାନସିକା ଦୁଶ୍ଚିନ୍ତାରେ ଘାଣ୍ଟି ହେଉଥିଲେ । ଶେଷରେ ଚାକିରି ବିନା କିପରି ଘର ଚଳିବ ଚିନ୍ତା କରି ଜୀବନ ଦେଇଦେବା ଶ୍ରେୟସ୍କର ଭାବିଲେ । ଆଉ ରସି ଲଗାଇ ଆତ୍ମହତ୍ୟା କଲେ । ତାଲାବନ୍ଦର ଦୁର୍ଦ୍ଦଶା ଆଉ ସଂକ୍ରମଣ ଭୟ ଭିତରେ ଏକ ମାତ୍ର ପୁଅକୁ ହରାଇଲା ପରିବାର ।

ଏଇଠି ପ୍ରଶ୍ନ ଉଠୁଛି ବାଇକ୍ ସିଜ୍ ହୋଇନଥିଲେ ଆଦିତ୍ୟଙ୍କ ଚାକିରୀ ଯାଇଥାନ୍ତା କି ? ତାଲାବନ୍ଦ ସଂକ୍ରମଣ ରୋକିବାରେ କେତେ ସଫଳ ସେକଥା ଭିନ୍ନ କଥା ହେଲେ କରୋନାର କୋକୁଆ ଭୟ ଭିତରେ ରୋଜଗାର ହରାଇଥିବା ଯୁବଗୋଷ୍ଠୀଙ୍କ ଜୀବନ ଏବେ ବିପଦରେ ।  କେବଳ ଆଦିତ୍ୟ ନୁହେଁ, ଚାକିରି ହରାଇଥିବା ଅନେକ ଯୁବକଙ୍କ କଥା ଏବେ ବୁଝିବ କିଏ ?