ପରଦା ପଛର ଅଦୃଶ୍ୟ ଯୋଦ୍ଧା ମୁଁ ! ମୁଁ ପୋଲିସ୍ ନୁହେଁ କି ଡାକ୍ତର ନୁହେଁ । ହେଲେ ମୁଁ ବି ସେବା କରୁଛି . ସଂକ୍ରମଣ ଭୟକୁ ଆଡ଼ କରି କରୋନା ରୋଗୀଙ୍କ ନିକଟରେ ଚା,ନାସ୍ତା, ଖାଦ୍ୟ ଓ ପାଣି ପହଞ୍ଚାଉଥିବା ସାଧାରଣ କର୍ମଚାରୀଙ୍କୁ ସଲାମ୍

785

କନକ ବ୍ୟୁରୋ : ମୁଁ ଡାକ୍ତର ନୁହେଁ । ନା ଅଛି ମୋ ଦେହରେ ଖାକି ବର୍ଦ୍ଦି । ହେଲେ ସେମାନଙ୍କ ପରି ମୁଁ ବି ସାମିଲ କରୋନା ବିରୋଧୀ ଯୁଦ୍ଧରେ । ପରଦା ପଛର ରହି ମହାମାରୀ ସହ ଅହରହ ସଂଗ୍ରାମ କରୁଛନ୍ତି କିଛି ଏପରି ଅଦୃଶ୍ୟ କରୋନା ଯୋଦ୍ଧା । ଦୃଷ୍ଟି ଆଢ଼ୁଆଳରେ ରହି ସଂକ୍ରମିତଙ୍କ ପାଇଁ ସାଜିଛନ୍ତି କରୋନା କବଚ । କରୋନା ଯୋଦ୍ଧା କହିଲେ ମନକୁ ସ୍ୱତଃପ୍ରବୃତ ଭାବେ ଡାକ୍ତର ଓ ପୋଲିସଙ୍କ ଚିତ୍ର ଆଖି ସାମ୍ନାକୁ ଚାଲିଆସେ । ହେଲେ ସେମାନଙ୍କ ବ୍ୟତୀତ ଆହୁରି ଅନେକ ପରଦା ପଛର ନାୟକ ଆଉ ନାୟିକା ଅଛନ୍ତି, ଯେଉଁମାନେ ଯୋଦ୍ଧା ପାଲଟିଛନ୍ତି । ସଂକ୍ରମଣ ଭୟ ସେମାନଙ୍କ କର୍ତ୍ତବ୍ୟପରାୟଣା ଓ ସେବାଭାବ ଆଗରେ ହାର ମାନିଛି । କରୋନା ୱାର୍ଡ଼ରେ ସେବା ଯୋଗାଉଥିବା ସାଧାରଣ କର୍ମଚାରୀ, ସହାୟକ, ଚାନାସ୍ତା, ଖାଦ୍ୟ ଓ ପାଣି ପହଞ୍ଚାଉଥିବା କର୍ମୀ କୌଣସି ଯୋଦ୍ଧାଙ୍କ ଠାରୁ କମ୍ ନୁହଁନ୍ତି । ନିଜ କଥା ଚିନ୍ତା ନକରି ପରିବାରକୁ ଆଡ଼ କରି କରୋନା ଯୁଦ୍ଧରେ ଜଣେ ଜଣେ ସଂଗ୍ରାମୀ ପାଲଟିଛନ୍ତି ।

କରୋନା ବିରୋଧୀ ଯୁଦ୍ଧରେ ପୁରା ଦେଶ ଏକଜୁଟ୍ ହୋଇଛି । ଡାକ୍ତରଙ୍କ ଠାରୁ ଆରମ୍ଭ କରି ପାରାମେଡ଼ିକାଲ ଷ୍ଟାଫ୍ ଯେଉଁମାନେ ନିଜ ଜୀବନ କଥା ଚିନ୍ତା ନକରି ସଂକ୍ରମିତଙ୍କ ସେବାରେ ଲାଗିଛନ୍ତି ତାଙ୍କୁ ସଲାମ୍ । ମହାମାରୀ ବିରୋଧରେ ଚାଲିଥିବା ଲମ୍ବା ଲଢ଼େଇରେ ଯୋଦ୍ଧାଙ୍କ ଫୌଜରେ ଅଛନ୍ତି ଅଗଣିତ ଯୋଦ୍ଧା । ଯେଉଁମାନେ ଅତି ସନ୍ତର୍ପଣରେ ଚୁପଚୁାପ ନିଜ କାଯ୍ୟନିର୍ବାହ କରୁଛନ୍ତି । ଲୋକଲୋଚନକୁ ନଆସିଲେ ନାହିଁ ଆମେ ସେବାରୁ ବିରତ ହେଉନାହାନ୍ତି । ପରାଦା ପଛରେ ରହି ବହୁତ ବଡ଼ କାମ କରୁଛନ୍ତି । ନା ମିଳୁଛି ମୋଟା ଅଙ୍କର ଦରମା ନା ଦରକାର ପ୍ରଶଂସା । ତଥାପି ସଂକ୍ରମିତଙ୍କୁ ନିସ୍ୱାର୍ଥ ଭାବେ ଖାଇବା, ପିଇବା, ପୋଷାକ ପହଞ୍ଚାଇବାର କାମ କରୁଛନ୍ତି ଏହି ଅଦୃଶ୍ୟ ଯୋଦ୍ଧା ।

କିଏ ପରିବାର ଲୋକଙ୍କୁ ଦୁଇ ମାସ ହେଲା ଦେଖିନି ତ, ଆଉ କିଏ କୁନି ଝିଅକୁ ଘରେ ଛାଡ଼ି ଆସିଛି । କରୋନା ଯୁଦ୍ଧରେ ସାମିଲ ହେବାପରେ ପରିବାର ଲୋକଙ୍କୁ ଟିକିଏ ଦୂରରୁ ଦେଖିବା ବି ସ୍ୱପ୍ନ ହୋଇଯାଇଛି । ହେଲେ ସେ ଦିଗକୁ ଅଦୃଶ୍ୟ ଯୋଦ୍ଧାଙ୍କର ନିଘା ନାହିଁ । ବେଡ଼ରେ ପଡ଼ିଥିବା କରୋନା ରୋଗୀ ଯେପରି ତାଙ୍କୁ ଡାକୁଛି । ହାତ ଠାରି କହୁଛି ମୋତେ ଟିକିଏ ସାହାଯ୍ୟ କର । ମେଡ଼ିକାଲକୁ ବି ନିଜ ପରିବାର ମନେକରି ଏହି ଯୋଦ୍ଧାମାନେ କରୋନା ସଂକ୍ରମିତଙ୍କ ୱାର୍ଡ଼ରେ ଆବଶ୍ୟକ ବସ୍ତୁ ପହଞ୍ଚାଇବାରେ ବ୍ୟସ୍ତ ।

ଟିକିଏ ଏପଟ ସେପଟ ହେଲେ ସଂକ୍ରମଣର ଭୟ । ହେଲେ କର୍ତ୍ତବ୍ୟପରାୟଣତାରେ ଟିକିଏ ବି ବିରାମ ନାହିଁ । ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେ ସତେ ଯେମିତି ତାଙ୍କୁ ଏହି ଯୁଦ୍ଧର ପୁରସ୍କାର ମିଳିଯାଉଛି । ଲଢ଼େଇରେ ସାମିଲ ହୋଇ ବେଶ୍ ଆତ୍ମତୃପ୍ତି ପାଉଛନ୍ତି ଏହି ପରାଦା ପଛର ଅଦୃଶ୍ୟ ଯୋଦ୍ଧା ।