ହୋଲି ପୂର୍ବରୁ ଜନତାଙ୍କୁ ଉପହାର : ଏଲ୍‌ପିଜି ସିଲିଣ୍ଡର ଦାମ୍ ୫୩ ଟଙ୍କା କମିଲା

259

କନକ ବ୍ୟୁରୋ : ଅଣ ରିହାତି ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ୫୩ ଟଙ୍କାର ହ୍ରାସ କରାଯାଇଛି । ଫଳରେ ୧୪.୨ କେଜି ବିଶିଷ୍ଟ ସିଲିଣ୍ଡର୍‌ ଦାମ୍‌ ୮୦୫ ଟଙ୍କା ୫୦ ପଇସାକୁ ହ୍ରାସ ପାଇଛି । ଗତ ମାସରେ ତୈଳ କଂପାନିଗୁଡ଼ିକ ଅଣ ସବ୍‌ସିଡି ଏଲ୍‌ପିଜି ଦାମ୍‌ରେ ୧୪୪ ଟଙ୍କା ୫୦ ପଇସାର ବୃଦ୍ଧି କରିଥିଲେ । ଫଳରେ ସିଲିଣ୍ଡର ପିଛା ଦାମ୍ ୮୫୮ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଥିଲା। ଏହାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ପ୍ରବଳ ସମାଲୋଚନା କରିଥିଲେ । ଏଲ୍‌ପିଜି ଦର ବୃଦ୍ଧି ବିରୋଧରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସ୍ଥିତିର ମୁକାବିଲା କରିବା ଲାଗି ସେହି ସମୟରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ମାର୍ଚ୍ଚ ମାସରେ ଏଲ୍‌ପିଜି ଦାମ୍‌‌ ହ୍ରାସ ଘଟିବ। ତାଙ୍କ କହିବାନୁସାରେ ଆଜି ଏଲ୍‌ପିଜି ଦାମ୍‌ କମିଛି ।

୧୪.୨ କେଜିଆ ସିଲିଣ୍ଡର ଦାମ୍ ୫୩ ଟଙ୍କା କମିଥିବା ବେଳେ ବାଣିଜ୍ୟିକ ବ୍ୟବହାର ଲାଗି ଉପଲବ୍ଧ ହେଉଥିବା ୧୯ କେଜିଆ ସିଲିଣ୍ଡର ଦାମ୍‌ରେ ୮୪ ଟଙ୍କା ୫୦ ପଇସାର ହ୍ରାସ ଘଟି ୧୩୮୧ ଟଙ୍କା ହୋଇଯାଇଛି ।  ତେଲ କଂପାନିଗୁଡ଼ିକ ପ୍ରତି ମାସରେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ସଂଶୋଧନ କରୁଛନ୍ତି । ଆନ୍ତର୍ଜାତିକ ସ୍ତରରେ ଦର ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ଏଲ୍‌ପିଜି ଦାମ୍‌ରେ ହ୍ରାସ କିମ୍ବା ବୃଦ୍ଧି କରୁଛନ୍ତି। ୨୦୧୯ ଅଗଷ୍ଟରୁ ୨୦୨୦ ପେବ୍ରୁଆରି ମଧ୍ୟରେ ଏଲ୍‌ପିଜି ଦାମ୍‌ ୬ ଥରରେ ୫୦%ରୁ ଅଧିକ ବୃଦ୍ଧି ଘଟିଥିଲା ।