ଫୋନି ଧୋଇଦେଲା ନିଆଳି କ୍ଷୀର ବେପାରୀଙ୍କ ବ୍ୟବସାୟ : ୧୨ଦିନ ମଧ୍ୟରେ ଲକ୍ଷାଧିକ ଟଙ୍କାର କ୍ଷତି, କେମିତି ଚଳିବ ପରିବାର ?

90

କନକ ବ୍ୟୁରୋ : ଫୋନି ବୁଡାଇଦେଲା ନିଆଳି କ୍ଷୀର ବେପାରୀଙ୍କ ବେପାର । ଫୋନି ମାଡ ହେବାର ୧୨ଦିନ ମଧ୍ୟରେ ଲକ୍ଷାଧିକ ଟଙ୍କାର କ୍ଷତି ସହିଲେଣି ବେପାରୀ । ଯେଉଁଠି ଦିନକୁ ୧୫ କ୍ୱିଂଟାଲ କ୍ଷୀର ବିକ୍ରି ହେବାପାଇଁ ଯାଏ ଏବେ ଯାଉଛି ମାତ୍ର ୩ କ୍ୱିଂଟାଲ କ୍ଷୀର । ଗାଇ ମହିଁଷିଙ୍କୁ କେମିତି ଖାଇବାକୁ ଦେବେ ଏବେ ସେହି ଚିନ୍ତା ଘାରିଛି କ୍ଷୀର ବ୍ୟବସାୟୀଙ୍କୁ ।

ବଡ ବଡ ହାଣ୍ଡିରେ କ୍ଷୀର ସିଝା ଚାଲିଛି । ହେଲେ ବିକ୍ରି କରିବା ପାଇଁ ବଜାର ନାହିଁ । କଟକ ଜିଲ୍ଲା ନିଆଳି ବ୍ଲକରେ ଏପରି ଦୃଶ୍ୟ ଦେଖିବା ପାଇଁ ମିଳୁଛି । ବାତ୍ୟା ଫୋନି ଧୋଇଦେଇଛି କ୍ଷୀର ବ୍ୟବସାୟୀଙ୍କ ବେପାର । ଫୋନି ମାଡରେ ପୁରୀ ସହରରେ ଦୋକାନ ବଜାର ବନ୍ଦ ରହିଛି । କ୍ଷୀର ଦୋକାନିଙ୍କ ଦେଖାନାହିଁ । ଫଳରେ ନିଆଳିର ଏହି କ୍ଷୀର ବ୍ୟବସାୟୀଙ୍କ କ୍ଷୀର ପଡିରହିଛି । ୧୦ରୁ ୧୫ କ୍ୱିଂଟାଲ ବଦଳରେ ଦିନକୁ ଯାଉଛି ମାତ୍ର ୨ରୁ୩ କ୍ୱିଂଟାଲ କ୍ଷୀର । ଫଳରେ କ୍ଷୀର ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଲେଣି ।

ନିଆଳିର ୮ରୁ ୧୦ଜଣ କ୍ଷୀର ବ୍ୟବସାୟୀ ପ୍ରାୟ ୧୦୦ ଜଣ ଚାଷୀଙ୍କ ଠାରୁ କ୍ଷୀର ଆଣିଥାନ୍ତି । ହେଲେ କ୍ଷୀର ବିକ୍ରି ହେଉନଥିବା କାରଣରୁ ଚାଷୀଙ୍କ ଠାରୁ କ୍ଷୀର ଆଣୁନାହାନ୍ତି ବ୍ୟବସାୟୀ । ବ୍ୟବସାୟ କ୍ଷତିରେ ଚାଲିଥିବାରୁ ଏବେ ଗାଇ ଓ ମହିଁଷି ମାନଙ୍କୁ କେମିତି ଖାଇବାକୁ ଦେବେ ଏବଂ ପରିବାର କେମିତି ଚଳିବ ଏବେ ସେହି ଚିନ୍ତା ଘାରିଛି ।

ଫୋନିର କରାଳ ରୂପରେ ଛିନଛତର ହୋଇଯାଇଛି ପୁରୀ ଦୋକାନ ବଜାର । ପ୍ରାୟ ୧୨ଦିନ ଧରି ବନ୍ଦ ରହିଛି କ୍ଷୀର ଓ ଛେନା ଦୋକାନ । ତେଣୁ ଏହି କ୍ଷୀର ବ୍ୟବସାୟୀମାନଙ୍କ ବକେୟା ଟଙ୍କା ମଧ୍ୟ ଆଦାୟ ହୋଇପାରୁନି । ଋଣବୋଝରେ ଥିବା ବ୍ୟବସାୟୀ ଏବେ କେମିତି ବ୍ୟବସାୟୀ ଚାଲୁ ରଖିବେ କିଛି ବାଟ ପାଉନାହାନ୍ତି । ଅପେକ୍ଷା କରିଛନ୍ତି ସରକାରୀ ସହାୟତାକୁ ।