ସ୍ନାନମଣ୍ଡପରୁ ଅଣସର ପିଣ୍ଡିକୁ ଗଲେ ଶ୍ରୀଜିଉ । ୧୫ ଦିନ ପାଇଁ ଏବେ ଚାଲିବ ଗୁପ୍ତ ନୀତି 

202

କନକ ବ୍ୟୁରୋ : ହାତୀ ବେଶ ସରିବା ପରେ ସ୍ନାନ ମଣ୍ଡପରୁ ଅଣସର ଘରକୁ ବିଜେ କରିଛନ୍ତି ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନମଣ୍ଡପରେ ଭାଇ-ଭଉଣୀଙ୍କ ୧୦୮ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡିଛନ୍ତି ଶ୍ରୀଜିଉ । ଏବେ ଅଣସର ଘରେ ଗୁପ୍ତ ସେବା ଚାଲିବ । ୧୫ ଦିନ ଧରି ଏହି ସେବା ଚାଲିବ । ଏହା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିବେ ମହାପ୍ରଭୁ ।

ଏହି ଅଣସର ସମୟରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ସ୍ଥିତ ଶ୍ରୀଅଲାରନାଥଙ୍କ ଦର୍ଶନ କରିବେ ଭକ୍ତ । ତେବେ ଭକ୍ତଙ୍କ ସମାଗମକୁ ରୋକିବାକୁ ଆସନ୍ତା ୨୦ ତାରିଖ ଯାଏଁ ଅଲାରନାଥରେ ଜାରି ହୋଇଛି ୧୪୪ ଧାରା । ଅର୍ଥାତ୍ କେବଳ ଅଲାରନାଥଙ୍କ ନୀତି ହେବ । କିନ୍ତୁ କୌଣସି ଭକ୍ତ ଆସି ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ ।

ସେଥିପାଇଁ ମନ୍ଦିରକୁ ବି ପ୍ରଶାସନ ସିଲ୍ କରିଦେଇଛି । ଏହା ମନ୍ଦିର ଇତିହାସରେ ପ୍ରଥମ ଘଟଣା । ପ୍ରଶାସନ ପକ୍ଷରୁ ଆଜିଟାରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ଚାରିପଟକୁ ବ୍ୟାରିକେଡ୍ କରିଦିଆଯାଇଛି । ଚନ୍ଦନ ଚକଡା, ଶ୍ରୀମହାଲକ୍ଷ୍ମୀଙ୍କ ମନ୍ଦିର ରାସ୍ତା, ଅଲାରପୁର ଗାଁ, ସିଂହଦ୍ୱାର, ଆନନ୍ଦ ବଜାର ଗେଟକୁ ବି ସିଲ୍ କରାଯାଇଛି । ପୁରା ମନ୍ଦିର ଚାରିପଟେ ଲୁହାର ବ୍ୟାରିକେଡ୍ ଲାଗିଛି । ଜଣେ ହେଲେ ବି ଭକ୍ତ ଯେପରି ମନ୍ଦିର ପ୍ରବେଶ କରିନପାରନ୍ତି ସେଥିପ୍ରତି ରଖାଯାଇଛି କଡା ନଜର ।