ବିମାନବନ୍ଦରରେ ବଡ଼ ଠାକୁରଙ୍କ ଲୀଳା : କାଳିଆର ରଙ୍ଗରେ ରଙ୍ଗେଇ ହୋଇ ରଥଯାତ୍ରାର ଅନୁଭୂତି ସାଉଣ୍ଟିବେ ଦେଶ ବିଦେଶର ଯାତ୍ରୀ

111

କନକ ବ୍ୟୁରୋ : ଜଗାମୟ ହେଲା ଭୁବନେଶ୍ୱର ବିମାନବନ୍ଦର । ବିଶ୍ୱନୟନ୍ତାଙ୍କ ରଥଯାତ୍ରା ଅବସରରେ ବିଜୁ ପଟ୍ଟନାୟକ ଏୟାରପୋର୍ଟ କାଳିଆର ଭାବର ରଙ୍ଗରେ ରଙ୍ଗେଇ ହୋଇଛି । କେବଳ କାଳିଆ ପାଇଁ . . . .ଝିକିମିକି ଆଲୁଅରେ ଝଲସୁଛି ବିମାନବନ୍ଦର । ଚାରିଆଡ଼େ ଲାଗିଛି ଲିଚୁ ଲାଇଟ୍ । ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତ ଭାଇଭଉଣୀଙ୍କ ସହ ରଥାରୂଢ଼ ହୋଇ ମାଉସୀ ଘରକୁ ବାହାରିଛନ୍ତି, ଆଉ ଏପଟେ ବାଲୁକାକଳା ସହ ଜଗା ଫଟୋରେ ପୁରି ଉଠିଛି ବିମାନବନ୍ଦର । ଦେଶ ବିଦେଶରୁ ଓଡ଼ିଶାର ପୁଣ୍ୟ ମାଟିରେ ପାଦ ଦେଉ ଦେଉ ଭାବମୟ ପରିବେଶକୁ ଉପଭୋଗ କରିପାରିବେ ଯାତ୍ରୀ ।

ସର୍ବବ୍ୟାପୀ ସର୍ବତ୍ର ବିଦ୍ୟମାନ୍ ମୁକ୍ତିଦାତା ଆଜି ଏୟାରପୋର୍ଟରେ ବିଜେ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପ୍ରତିଷ୍ଠା ହୋଇଛି କୁନି ରଥ । ରଥରେ ବସିଛନ୍ତି ତିନି ଠାକୁର । ରଥର ଦୁଇ ପଟେ ନର୍ତ୍ତକୀଙ୍କ ଅଙ୍ଗଭଙ୍ଗୀ ପରିବେଶକୁ ଆହୁରି ବିଭୋର କରୁଛି । ବିମାନବନ୍ଦର ଲିଚୁ ଲାଇଟରେ ଝଲସିବା ସହ କାନ୍ଥରେ ଲାଗିଛି ଜଗାର ଭଳି କି ଭଳି ଫଟୋ । ଏହାସହ ବିମାନବନ୍ଦରରେ ତିଆରି ହୋଇଥିବା ବାଲୁକାକଳା ଯାତ୍ରୀଙ୍କୁ ଭାବରେ ବାନ୍ଧୁଛି । ରଥଯାତ୍ରା ଉପଲକ୍ଷେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ଯାତ୍ରୀଙ୍କୁ ବିମୋହିତ ଓ ବିହ୍ୱଳ କରିବା ପାଇଁ ଚେଷ୍ଟା କରିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।

ରଥଯାତ୍ରାରେ ପାଗ ସିନା ଶୁଖିଲା ରହିଛି, ହେଲେ ବିମାନବନ୍ଦରରେ ଭାବରେ ଭିଜିବେ ଯାତ୍ରୀ । କାଳିଆକୁ ଭାବରେ ବାନ୍ଧିବା ପାଇଁ ପୁରା ପ୍ରୟାସ କରିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।