ଭୁବନେଶ୍ୱର ସାମନ୍ତରାପୁରରେ ଦମ୍ପତିଙ୍କୁ ଲୁଟିଲେ ଦୁର୍ବୃତ୍ତ : ଘରେ ବନ୍ଦ କରି ବୁଲାଇଲେ କଳାକନା, ଗହଣା ସହ ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଲୁଟ୍

359

କନକ ବ୍ୟୁରୋ : ଘର ଭିତରେ ଏକ ଘଂଟାର ଆତଙ୍କରାଜ । ଆଉ  ଦମ୍ପତ୍ତିଙ୍କୁ ଘରେ ବନ୍ଦ କରି ସର୍ବସ୍ୱ ଲୁଟିଲେ ଦୁର୍ବୃତ୍ତ ।  ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଅଂଚଳରେ ।  ବ୍ୟାଙ୍କ ମ୍ୟାନେଜର ବିଷ୍ଣୁଚରଣ ପଲାଇ ଓ ତାଙ୍କ ପତ୍ନୀଙ୍କୁ ଘରେ ବନ୍ଦ କରି କଳାକନା ବୁଲାଇଛନ୍ତି ଲୁଟେରା । ଖବର ଅନୁସାରେ, ଗତକାଲି ରାତିରେ ବିଷ୍ଣୁଚରଣ ପରିବାର ଶହ ଶୋଇଥିଲେ । ଆଉ ବିଳମ୍ବିତ ରାତିରେ  ୫ରୁ ୭ଜଣ ଲୁଟେରା ପଛପଟ ଝରକା ଭାଙ୍ଗି ଘରେ ପଶିଥିଲେ ।  

ଚୋର ପଶିବା ଶଦ୍ଦ ଶୁଣି ବିଷ୍ଣୁଚରଣ ଓ ତାଙ୍କ ପତ୍ନୀ ଉଠିପଡିବାରୁ  ସେମାନଙ୍କୁ ଭୟଭୀତ କରି ଘରେ ବନ୍ଦ କରିଦେଇଥିଲେ ଲୁଟେରା ।  ସେମାନେ  ଦମ୍ପତିଙ୍କଠାରୁ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଲୁଟେରାମାନେ ପ୍ରାୟ ୧ ଘଂଟା ଧରି  ଘର ଭିତରେ ଆତଙ୍କରାଜ ଚଳାଇଥିଲେ ।  ଆଉ ଦମ୍ପତ୍ତିଙ୍କୁ ବନ୍ଦ କରି  ସୁନାଗହଣା, ନଗଦ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଲୁଟ କରିଛନ୍ତି । ଥାନାରେ ଅଭିଯୋଗ ହେବା ପରେ  ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ତନାଘନା ଆରମ୍ଭ କରିଛି ।