ତାଲାବନ୍ଦ ଭିତରେ ମାତିଛନ୍ତି ଲୁଟେରା । ଖୋର୍ଦ୍ଧା ବାଲିପାଟଣାରେ ବୃଦ୍ଧାଙ୍କୁ କରାଯାଉଛି ଟାର୍ଗେଟ । ୩ମାସରେ ଘଟିଲା ୩ଟି ଘଟଣା

249

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠରେ ଲୁଟେରାଙ୍କ ଆତଙ୍କ । ଗତ ଅଢେଇ ମାସ ଭିତରେ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଂଚଳରେ ତିନିଟି ଲୁଟ ଘଟଣା ଲୋକଙ୍କୁ ଭୟଭୀତ କରିଛି । ଫଳରେ ଗହଣା ପିନ୍ଧି ରାସ୍ତାରେ କିମ୍ବା ଦାଣ୍ଡ ଦୁଆରେ ବାହାରିବାକୁ ମହିଳାମାନେ ସୁରକ୍ଷତି ମଣୁ ନାହାନ୍ତି । ଲୁଟେରାମାନେ ରାସ୍ତାରେ ଯାଉଥିବା ବୟସ୍କ ମହିଳାଙ୍କ ଟାର୍ଗେଟ କରି ସୁନା ଅଲଙ୍କାର ଲୁଟ କରି ଫେରାର ହୋଇଯାଉଛନ୍ତି ।

ଗତକାଲି ଗିରିଙ୍ଗ ମହାନ୍ତି ସାହିରେ ଦିନ ସାଢେ ୧୨ଟାରେ ଦାଣ୍ଡ ଦୁଆରୁ ମହିଳାଙ୍କ ବେକରୁ ଚେନ ଲୁଟିନେଲେ ଦୁର୍ବୃତ୍ତ । ଘଟଣାକୁ ୨୪ ଘଂଟା ବିତି ଯାଇଥିବା ବେଳେ ପୁଲିସର ହାତ ଖାଲି । ମାର୍ଥାପୁର ପଂଚାୟତ ପଦ୍ମପୁର ଗାଁରେ ଗତ ମେ ମାସରେ ନିରୁପମା ମହାପାତ୍ରଙ୍କ ବେକରୁ ଚେନ ଲୁଟିନେଇଥିଲେ ଲୁଟେରା । ଠିକଣା ପଚାରିବା ବାହାନାରେ ମହିଳାଙ୍କ ପାଖକୁ ଯାଇ ଚେନ ଝାଂପି ନେଇ ଚମ୍ପଟ ହୋଇଯାଇଥିଲେ ଦୁର୍ବୃତ୍ତ । ସେହିପରି ଅପ୍ରେଲ ୧୫ରେ ବନମାଳୀପୁର ଡେରା ସାହିରେ ଫୁଲ ତୋଳୁଥିବା ଜଣେ ମହିଳାଙ୍କ ବେକରୁ ଚେନ ଛିଣ୍ଡାରେ ଫେରାର ହୋଇଥିଲେ ଦୁଇ ଦୁର୍ବୃତ୍ତ ।

ଅପ୍ରେଲରୁ ଜୁନ ଭିତରେ ବାଲିପାଟଣା ଥାନା ଅଂଚଳରେ ୩ଟି ଲୁଟ ଘଟଣା ଘଟିଥିଲେ ମଧ୍ୟ ପୁଲିସର ହାତ ଖାଲି । ପୁଲିସ ତଦନ୍ତ ଚାଲିଛି, ଲୁଟେରାଙ୍କୁ ଧରାଯିବ କହୁଥିବା ବେଳେ ଲୋକେ ତୁରନ୍ତ ଚୋରି ଘଟଣାର ପର୍ଦ୍ଦଫାସ କରିବାକୁ ଦାବି ହେଉଛି ।