ସୁନ୍ଦରଗଡ଼ ପୂର୍ବତନ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ଲୋକାୟୁକ୍ତ ନୋଟିସ୍  : ପଦବୀର ଦୁରୁପଯୋଗ କରି ବାସଭବନରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିିବା ନେଇ ରହିଛି ଅଭିଯୋଗ

359

କନକ ବ୍ୟୁରୋ : ଲୋକାୟୁକ୍ତଙ୍କ ପକ୍ଷରୁ ସୁନ୍ଦରଗଡ଼ ପୂର୍ବତନ ଜିଲ୍ଲାପାଳଙ୍କୁ ନୋଟିସ୍ । ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ନୋଟିସ୍ ଜାରି କରିଛନ୍ତି ଲୋକୟୁକ୍ତ । ପଦବୀର ଅପବ୍ୟବହାର କରି ୭୦ ଲକ୍ଷ ଟଙ୍କା ନିଜ ସରକାରୀ ବାସଭବନରେ ବ୍ୟୟ କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ବଙ୍ଗଳାର ନବୀକରଣ ପାଇଁ ପାଖାପାଖି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଥିଲା । ଟେଣ୍ଡର୍ ଡକା ନଯାଇ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରାଯିବା ନେଇ ପ୍ରଶ୍ନ ଉଠିଥିଲା । ଏହାକୁ ନେଇ ସବୁଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା  ।

ଆରଡିଏ ବା ରାଉରକେଲା ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷ ଥିବା ସମୟରେ ରଶ୍ମିତାଙ୍କ ନାଁରେ ସରକାରୀ ଅର୍ଥକୁ ପାଣି ଭଳି ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା । ରାଉରକେଲାର ସୂଚନା ଅଧିକାର କର୍ମୀ ରଶ୍ମିରଞ୍ଜନ ପାଢୀ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଥିଲା କି, ରାଉରକେଲା ଉଦିତ୍ ନଗର ଅଂଚଳରେ ଥିବା ଆରଡିଏ ଉପାଧ୍ୟକ୍ଷଙ୍କ ସେହି ସରକାରୀ ବାସଗୃହ । ଯାହାର ମତାମତି ଓ ପୁନରୁଦ୍ଧାର ବାବଦରେ ସେତେବେଳେ ଅପାଧ୍ୟକ୍ଷ ଥିବା ଆଇଏଏସ ରଶ୍ମିତା ପଣ୍ଡା ଖର୍ଚ୍ଚ କରିଥିଲେ ୬୮ ଲକ୍ଷ ୫୭ ହଜାର ୯୫୦ ଟଙ୍କା । ୬ ମାସ ଅବଧି ମଧ୍ୟରେ ଏହି ଟଙ୍କା ଖର୍ଚ୍ଚା କରାଯାଇଥିଲା । ଏନେଇ ରାଉରକେଲାର ରଶ୍ମିରଂଜନ ପାଢୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ରଶ୍ମିରଂଜନ ପାଢୀ ପିସିସି ସମ୍ପାଦକ ଅଛନ୍ତି ।