ନିର୍ବାଚନୀ ଋତୁରେ ଆରୋପ ପ୍ରତ୍ୟାରୋପର ପର୍ବ ଜୋର ! ୫ ବର୍ଷରେ ମୋଦି ସରକାର କୌଣସି ପ୍ରତିଶ୍ରୁତି ପାଳନ କରିପାରିଲେନି ବୋଲି କହିଲେ ରାହୁଲ

102

କନକ ବ୍ୟୁରୋ : ସାରା ଦେଶରେ ଏବେ ନିର୍ବାଚନୀ ମଳୟ ବହୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । କଳେବଳେ କୌଶଳେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଣନୀତି ଓ ସବୁ ରାଜନୈତିକ ଦଳ ଏବେ ସଭା ସମିତି କରି ନିର୍ବାଚନୀ ବିଗୁଲ ଫୁଙ୍କିଲେଣି ଓ ପ୍ରତି ଗଳିକନ୍ଦିରେ ନେତାଙ୍କ ପ୍ରବଳ ଭିଡ଼ । ଦୋକାନ ବଜାର ସବୁ ରାଜନୈତିକ ଚର୍ଚ୍ଚା । ସବୁରି ମୁହଁରେ ଗୋଟିଏ କଥା । ଏଥର କିଏ ଗଢ଼ିବ ସରକାର । ମୋଦି ମ୍ୟାଜିକ ନା ରାହୁଲ ଯାଦୁ କାମ କରିବ ? ନିର୍ବାଚନୀ ଫଳାଫଳ ମେ ମାସରେ ଆସିବ ସିନା ହେଲେ, ଏବେଠାରୁ ରାଜନୈତିକ ବିଶ୍ଳେଷକମାନେ ଆକଳନ ଆରମ୍ଭ କରିଦେଇଛନ୍ତି ।

ସତ୍ତାକୁ ଆସିବା ପାଇଁ ଚାଲିଛି ଜୋରଦାର ଲଢ଼େଇ । ଦିଲ୍ଲୀ ଗାଦି ଅକ୍ତିଆର ପାଇଁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଛନ୍ତି ନେତା । ଭୋଟ ହାତେଇବା ପାଇଁ ତଥା ଲୋକଙ୍କୁ ଆକର୍ଷିତ କରିବା ପାଇଁ ରାଜନେତାମାନେ କିଛି ବି କରିବା ପାଇଁ ପ୍ରସ୍ତୁତ । ଏହି କ୍ରମରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ରାହୁଲ ଗାନ୍ଧୀ ରାଲି କରୁଛନ୍ତି । ଟ୍ରାନ୍ସଲେଟର ସାହାଯ୍ୟରେ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଏକ ଐତିହାସିକ ଘୋଷଣା କରାଯାଇଛି । ସତ୍ତାକୁ ଆସିଲେ ଗରିବ ହଟାଇବା ପାଇଁ ନ୍ୟାୟ ଯୋଜନା ଆଣିବା କଥା ଉଠାଇଛନ୍ତି । ଅନ୍ୟପଟେ ମୋଦିଙ୍କୁ ଏହି ସଭାରେ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ୫ ବର୍ଷରେ ମୋଦି ସରକାର ୨୦୧୪ରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିନାହାନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏପରି ଆରୋପ ପ୍ରତ୍ୟରୋପର ପର୍ବ ଚାଲିବ । ନିର୍ବାଚନୀ ମାହୋଲରେ ଏହା ସାଧାରଣ କଥା । ତେବେ ଜନତା କାହାକୁ ଭୋଟ ଦେବେ , ତଥା କାହା ହାତକୁ ପୁଣି ଥରେ ଦିଲ୍ଲୀ ଗାଦି ହସ୍ତାନ୍ତର କରିବେ ତାହା ସମୟ କହିବ ।