ମିଶନ ଦକ୍ଷିଣରେ ରାହୁଲ ଗାନ୍ଧୀ ! ୱାଇନାଡ଼ରୁ ଆଜି ଭରିବେ ନାମାଙ୍କନ ପତ୍ର, ପ୍ରିୟଙ୍କାଙ୍କ ସହ କରିବେ ମେଗା ରୋଡ଼ ସୋ’

94

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ିବେ । ଉତ୍ତରପ୍ରଦେଶରେ ନିଜର ପରଂପରାଗତ ଆମେଠି ବ୍ୟତୀତ କେରଳର ୱେୟାନାଡ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଆଜି ସାଢ଼େ ୧୧ଟାରେ ନିଜର ନାମାଙ୍କନ ଦାଖଲ କରିବେ ରାହୁଲ । ତେବେ ନାମାଙ୍କନ ଦାଖଲ ପୂର୍ବରୁ ୱାଇନାଡ଼ରେ କଂଗ୍ରେସ ମହାସଚିବ ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୨ କିମି ବିଶାଳ ରୋଡ଼ ସୋ’ କରିବେ । ଏହାସହ ଦେଶର ୨୨ ଟି ସହରରେ ଦଳ ଆଜି ଘୋଷଣାପତ୍ର ଉପରେ କନଫରେନ୍ସ କରିବ ।

ଦକ୍ଷିଣ ଭାରତର ଲୋକ ମନରେ ସବୁବେଳେ ଗୋଟିଏ କଥା ଆନ୍ଦୋଳିତ ହେଉଛି । ମୋଦି ସରକାର ଦକ୍ଷିଣ ଭାରତର ଲୋକଙ୍କୁ ଅଣଦେଖା କରୁଛନ୍ତି । ମୋଦି ଦକ୍ଷିଣ ଭାରତର ଲୋକଙ୍କ ସହ ଶତ୍ରୁତା ରଖୁଛନ୍ତି । ଦେଶର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତାଙ୍କୁ ସାମଲି କରାଯାଉନି ବୋଲି ଅଭିଯୋଗ ହେଉଛି । ଦକ୍ଷିଣ ଭାରତର ଲୋକଙ୍କ ସହ କଂଗ୍ରେସ ସବୁବେଳେ ଅଛି । ତେଣୁ ୱାଇନାଡ଼ରୁ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀ ବୁଧବାର ରାତି ଏଠାରେ ପହଂଚିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ ଆମେଠିରେ ନିର୍ବାଚନ ଲଢ଼ିବା ସହିତ ଦାକ୍ଷିଣାତ୍ୟ ଅଭିଯାନ କରିଛନ୍ତି । ଉତ୍ତର ପ୍ରଦେଶ ସମେତ ଦେଶର ଅଧିକାଂଶ ବଡ଼ ବଡ଼ ରାଜ୍ୟ ଗୁଡ଼ିକରେ ଭାରତୀୟ ଜନତା ପାର୍ଟିକୁ ଭଲ ସମର୍ଥନ ମିଳୁଛି । ରାହୁଲ ଗାନ୍ଧୀଙ୍କୁ ଆମେଠିରେ ବିଜେପି ନେତ୍ରୀ ସ୍ମୁତି ଇରାନି ଟକ୍କର ଦେଇଛନ୍ତି । ଆମେଠି ଆସନରେ ଏଥର ରାହୁଲ ଓ ସ୍ମୁତିଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।