ବିମାନଉଡାଣ ପ୍ରତି ପଙ୍ଗପାଳ ବିପଦ । ଉଭୟ ଉଡାଣ ଓ ଅବତରଣ ବେଳେ ହୋଇପାରେ ସମସ୍ୟା । ଚିଠି ଲେଖି ଆଗୁଆ ସତର୍କ କଲା ବେସାମରିକ ବିମାନ ଚଳାଚଳ ବିଭାଗ । ପଙ୍ଗପାଳ ଉଡୁଥିବା ସୂଚନା ଥିଲେ ବିମାନ ନଉଡାଇବାକୁ ପାଇଲଟଙ୍କୁ ପରାମର୍ଶ

484

କନକ ବ୍ୟୁରୋ : ଦେଶରେ ଏବେ ବିମାନ ଉଡାଣ ପ୍ରତି ବିପଦ ହୋଇପାରନ୍ତି ପଙ୍ଗପାଳ । ଏନେଇ ଆଗୁଆ ସତର୍କତା ଜାରି କରିଛି ବେସାମରିକ ବିମାନ ଚଳାଚଳ ବିଭାଗ । ଟୁଇଟ୍ କରି ଡିଜିସିଏ ଏନେଇ ସୂଚନା ଦେଇ କହିଛି ବହୁସଂଖ୍ୟାରେ ପଙ୍ଗପାଳ ଆସି ଉଡାଜାହାଜରେ ମାଡ ହେଲେ ଏହା ପାଇଲଟ୍ ପାଇଁ ବିମାନ ଉଡାଣରେ ସମସ୍ୟା ସୃଷ୍ଟି କରିବ । ଏହା ବିମାନ ପାଇଁ ମଧ୍ୟ ବିପଦଜନକ । ଏହାର ଏକମାତ୍ର ଆଶ୍ୱସ୍ତି ହେଉଛି ପଙ୍ଗପାଳମାନେ ରାତିରେ ଉଡନ୍ତି ନାହିଁ । ତେଣୁ ରାତିରେ ବିମାନ ଉଡାଣ ପାଇଁ ବିପଦ ନଥିଲେ ମଧ୍ୟ ଦିନରେ ବିମାନ ଉଡାଣ ପ୍ରତି ବିପଦ ରହିଛି ।

ଏୟାରଲାଇନ୍ସ ଗୁଡିକୁ ଏଥିପ୍ରତି ସତର୍କ ରହିବାକୁ ପଡିବ । ଉଡାଣ ସମୟରେ ଆକାଶରେ ପଙ୍ଗପାଳ ଦଳଙ୍କ ସ୍ଥିତି ନଜରକୁ ଆସିବା ମାତ୍ରେ ଜଣାଇବାକୁ ପାଇଲଟ ମାନଙ୍କୁ ସୂଚନା ଦିଆଯାଇଛି । ସାଧାରଣତଃ ପଙ୍ଗପାଳ ମାନେ କମ୍ ଉଚ୍ଚତାରେ ସଂଘବଦ୍ଧ ହୋଇ ଉଡିଥାନ୍ତି । ଏହି ଦଳରେ ରହିଥାଇପାରନ୍ତି ହଜାର ହଜାର ପଙ୍ଗପାଳ । ଯାହାକି ବିମାନ ଉଡାଣ ଓ ଅବତରଣ ସମୟରେ ବିମାନ ପ୍ରତି ବିପଦ ସୃଷ୍ଟି କରିବ । ପଙ୍ଗପାଳ ପବନର ବେଗ ସହିତ ସମୁଦ୍ର ପତନରୁ ୨୦୦୦ ହଜାର ମିଟର ଉଚ୍ଚରେ ଦିନକୁ ପ୍ରାୟ ୨୦୦ କିମି ଦୂରତା ଅତିକ୍ରମ କରିପାରନ୍ତି । ଗୋଟିଏ ସମୟରେ ଦଳରେ ପ୍ରାୟ ୪୦ ହଜାରରୁ ଅଧିକ ସଂଖ୍ୟାରେ ପଙ୍ଗପାଳ ରହିଥାନ୍ତି ।

ପବନର ଦିଗ ବଦଳିଲେ ଏମାନଙ୍କର ଦିଗ ବି ବଦଳି ଯାଇଥାଏ , ତେଣୁ ବିମାନ ଚାଳକଙ୍କ ପାଇଁ ଏମାନେ ଆକାଶରେ ଭିଜିବିଲିଟିରେ ବଡ ସମସ୍ୟା କରିପାରନ୍ତି । ହଜାର ହଜାର ସଂଖ୍ୟାରେ ପଙ୍ଗପାଳ ବିମାନ ସହିତ ଧକ୍କା ହେଲେ ବିମାନକୁ କ୍ଷତି ପହଁଚିପାରେ । ତେଣୁ ଆକାଶରେ ପଙ୍ଗପାଳଙ୍କ ସ୍ଥିତି ନେଇ କୌଣସି ବି ସୂଚନା ରହିଥିଲେ , ବିମାନ ଉଡାଣ ନକରିବାକୁ ବେସାମରିକ ବିମାନ ଚଳାଚଳ ସଂସ୍ଥା କହିଛି ।