ରାଜଧାନୀବାସୀ ମାନୁନାହାନ୍ତି ଲକଡାଉନ୍ : କୋହଳ ହେଉଛି ପୁଲିସ କାର୍ଯ୍ୟାନୁଷ୍ଠାନ । ଲୁଚାଛପା‌‌ରେ ଚାଲିଛି ଜଳଖିଆ, ଗୁଟଖା, ସିଗାରେଟ୍ ବେପାର

462

କନକ ବ୍ୟୁରୋ : କରୋନା ମୁକାବିଲା ଲାଗି ସାମାଜିକ ଦୂରତ୍ବ ସବୁଠୁ ବଡ଼ ଅସ୍ତ୍ର। କରୋନା ମୁକାବିଲାରେ ସରକାରଙ୍କ ରଣନୀତି ପାଇଁ ଓଡ଼ିଶା ପ୍ରଶଂସା ସାଉଁଟିଛି । କିନ୍ତୁ ଏହି ମାସକ ମଧ୍ୟରେ ବଜାର ଚିତ୍ର ବଦଳି ଯାଇଛି । ଓଡ଼ିଶାରେ ଲକ୍‌ଡାଉନ୍‌କୁ ମାସେ ପୂରିଥିବା ବେଳେ ଲୋକ ଅଧିକ ଅମାନିଆ ହୋଇଯାଇଛନ୍ତି । ରାସ୍ତାଘାଟରେ ମନଇଚ୍ଛା ଗାଡ଼ି ଧରି ବୁଲିବା ଆରମ୍ଭ କରି ଦେଲେଣି । ରାସ୍ତାଘାଟରେ ଲୋକଙ୍କ ସଂଖ୍ୟା ଯଥେଷ୍ଟ ବଢ଼ି ଗଲାଣି । କୌଣସି ଜରୁରୀ କାମରେ ନୁହେଁ, ବରଂ ଗାଡ଼ି ଧରି ବୁଲିବା ବାହାନା ହୋଇଗଲାଣି । ବଜାର ଗାଡ଼ି ସଂଖ୍ୟା ବି ବଢ଼ି ଗଲାଣି । ଗାଡ଼ିରେ ବ୍ୟାଗ୍‌ ଟାଙ୍ଗି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ବାହାନାରେ ବଜାରରେ ବୁଲିବା ଅଭ୍ୟାସ ହୋଇଗଲାଣି । ଆମିଷବାରରେ ବଜାର ସ୍ଥିତି ନ କହିବା ଭଲ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ଆଉ ଦୂରତ୍ବ ନୁହେଁ, ଭିଡ଼ ଆରମ୍ଭ ହୋଇଗଲାଣି। କେହି ଆଉ ଲକ୍‌ଡାଉନ୍ ମାନିବା ପରିସ୍ଥିତିରେ ଯେମିତି ନାହାନ୍ତି। ରାଜ୍ୟର ଅଳ୍ପ କେତୋଟି ସ୍ଥାନକୁ ଛାଡ଼ିଦେଲେ, ବାକି ସବୁଆଡ଼େ ପୂରା ଖୋଲାମେଲା ପରିସ୍ଥିତି ସୃଷ୍ଟି ହୋଇଛି।

ବାଇକ୍‌ରେ ବ୍ୟାଗ୍ ଟାଙ୍ଗି ବଜାର ଯିବା ନିତିଦିନିଆ ଅଭ୍ୟାସ ହୋଇଗଲାଣି। ହାତଗଣତି ଦୋକାନକୁ ଛାଡ଼ି ଦେଲେ ବାକି ସବୁଠି ଲୋକଙ୍କର ଅସମ୍ଭାଳ ଭିଡ଼ ହେଉଛି। ପ୍ୟାକିଂ ତେଜରାତି ସାମଗ୍ରୀ ରଖି କସମେଟିକ୍‌ ଦୋକାନ ଖୋଲି ଦେଉଛନ୍ତି ଦୋକାନୀ। ଖାଲି କସମେଟିକ୍ ନୁହେଁ, ଗୁଟ୍‌ଖା, ସିଗାରେଟ୍ ଖୁଲମ୍‌ଖୁଲା ବିକ୍ରି ଚାଲିଛି। ଆଉ କିଛି ସ୍ଥାନରେ ଲୁଚାଛପାରେ ଖୋଲିଲାଣି ଜଳଖିଆ, ଚା’ ଦୋକାନ। ନିୟମିତ ଗ୍ରାହକ ସେଠାରେ ପହଞ୍ଚି ଯାଉଛନ୍ତି। ସାମାଜିକ ଦୂରତ୍ବ କଥା ଲୋକେ ଯେମିତି ଭୁଲି ଗଲେଣି। ପ୍ରଶାସନ ପକ୍ଷରୁ ଯେତେ କଟକଣା, ସଚେତନ କରାଗଲେ ମଧ୍ୟ ଲୋକ ମାନିବାକୁ ନାରାଜ। କରୋନା ପ୍ରଭାବ କମି ନଥିବା ବେଳେ ଲକ୍‌ଡାଉନ୍‌କୁ ପାଳନ ନ କଲେ ଆଗକୁ ବିପଦ ବଢ଼ିବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ପୁଲିସ କାର୍ଯ୍ୟାନୁଷ୍ଠାନ ଧୀରେଧୀରେ କୋହଳ ହେବାରେ ଲାଗିଥିବା ଅନୁମାନ କରାଯାଉଛି। ଲକ୍‌ଡାଉନ୍ ଆଇନ ଉଲ୍ଲଂଘନ ମାମଲା ସଂଖ୍ୟା ଧୀରେଧୀରେ କମିବା‌ରେ ଲାଗିଛି। ଗତ କିଛି ଦିନ ଅଳ୍ପସଂଖ୍ୟକ ମାମଲା ରୁଜୁ ହେଉଛି। ୧୭ ତାରିଖରୁ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ୭୩ ମାମଲା, ୧୮ ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ୪୩, ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ୫୪, ୨୦ ତାରିଖରୁ ୨୧ ତାରିଖ ସକାଳ ପର୍ଯ୍ୟନ୍ତ ୪୩, ୨୧ ତାରିଖରୁ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ୫୮ ଓ ୨୨ ତାରିଖରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ୫୮ଟି ମାମଲା ରୁଜୁ ହୋଇଛି। ଆଜି ଦ୍ବୈତନଗରୀରେ ମଧ୍ୟ ୯୧୭ଜଣ ଗାଡ଼ି ଚାଳକ ଧରା ପଡ଼ିଛନ୍ତି। ପୂର୍ବରୁ ୧୨୦୦ରୁ ଅଧିକ ଗାଡ଼ି ଚାଳକ ଧରାପଡ଼ୁଥିଲେ। ମାମଲା ସଂଖ୍ୟା କମିଛି ମାନେ ଲୋକ ସଚେତନ ହୋଇନାହାନ୍ତି, ବରଂ ପୁଲିସ କାର୍ଯ୍ୟାନୁଷ୍ଠାନ କୋହଳ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଯେଉଁମାନେ ଆଇନ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।