ରାଜ୍ୟରେ ଲକଡାଉନ୍ ରିଟର୍ଣ୍ଣସ୍ ! ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲା ମୁନିସିପାଲଟିରେ ତାଲାବନ୍ଦ । ଆଜି ରାତି ୯ରୁ ଜୁଲାଇ ୩୧ ଯାଏଁ ଜାରି ହେଲା କଟକଣା । ସକାଳ ୬ରୁ ଦିନ ଗୋଟାଏ ଯାଏଁ ଖୋଲିବ ପରିବା, ଗ୍ରୋସରୀ ଓ କ୍ଷୀର ଦୋକାନ

119

କନକ ବ୍ୟୁରୋ : କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ପୁଣି ଫେରିଲା ଲକଡାଉନ୍ । ଆଜି ରାତି ୯ରୁ ଜୁଲାଇ ୩୧ ଯାଏଁ ଅର୍ଥାତ ୧୪ ଦିନ ବ୍ୟାପୀ ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମ୍ୟୁନିସିପାଲିଟି ଲକଡାଉନ ରହିବ । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅଫିସ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିବ । ୪ଟି ଜିଲ୍ଲା ଏବଂ ରାଉରକେଲା ମ୍ୟୁନିସିପାଲିଟି ପାଇଁ ଲକଡାଉନ୍ ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଟଡାଉନକୁ ଏହି ୪ ଜିଲ୍ଲା ଓ ରାଉରକେଲା ମୁନିସିପାଲିଟିରୁ ହଟାଇ ଦିଆଯାଇଛି । ଲକଡାଉନକୁ କଡାକଡି ଭାବେ ପାଳନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ।

ତେବେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି । ଗ୍ରୋସରୀ, ପରିବା ଓ କ୍ଷୀର ଦୋକାନ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ । ଔଷଧ ଦୋକାନ ଖୋଲା ରହିବ । ତେବେ ଲୋକଙ୍କ ଯାତାଯାତ ଉପରେ କଟକଣା ଲାଗିବ । ପାଖ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କୁହାଯାଇଛି । ପେଟ୍ରୋଲ ଟାଙ୍କି ଖୋଲା ରହିବ । ଅଣ୍ଡା, ମାଛ ଓ ମାଂସର ହୋମ୍ ଡେଲିଭରି କରାଯିବ । ସେହିପରି ଲକଡାଉନ୍ ସମୟରେ କୃଷି ଓ ମତ୍ସ୍ୟଚାଷ ପୂର୍ବଭଳି ଚାଲୁ ରହିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ ସେବାକୁ ଲକ୍ଡାଉନ୍ କଟକଣାରୁ ହଟାଇ ଦିଆଯାଇଛି । ଆସନ୍ତୁ ନଜର ପକାଇବା କ’ଣ ଖୋଲା ରହିବ ଏହି ଲକଡାଉନ ସମୟରେ?ସରକାରୀ ଓ ବେସରକାରୀ ଡାକ୍ତରଖାନା, ନର୍ସିଂହୋମ, ମେଡିସିନ୍ ଷ୍ଟୋର, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ଆମ୍ବୁଲାନ୍ସ ଚଳାଚଳ, ଜଳ ଯୋଗାଣ, ପରିମଳ, ସ୍ୱେରେଜ୍ କର୍ମଚାରୀମାନେ ଯିବା ଆସିବା କରିପାରିବେ । ସେହିପରି ବିଦ୍ୟୁତ ଉତ୍ପାଦନ ଓ ଯୋଗାଣରେ କୌଣସି ବାଧା ନାହିଁ । ବିମାନ ଓ ରେଳ ଚଳାଚଳ, ବିମାନ ବନ୍ଦର, ରେଳ ଷ୍ଟେସନ, ବସ୍ ଟର୍ମିନାଲ ଖୋଲା ରହିବ ।

ସଡ଼କ ପରିବହନ ଓ ଜାତୀୟ ରାଜପଥରେ ଚଳାଚଳ, ମାଲ ପରିବହନ ପୂର୍ବଭଳି ଚାଲିବ । ବିମାନ ବନ୍ଦର ଓ ରେଳ ଷ୍ଟେସନ, ବସ୍ ଟର୍ମିନାଲକୁ ଯାନବାହନ ଚଳାଚଳ କରିବ । ଓଲା ଓ ଉବେର ଷ୍ଟେସନକୁ ଯାଇପାରିବେ । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ପନିପରିବା, ଗ୍ରୋସରୀ ଓ କ୍ଷୀର ଦୋକାନ । ଖାଦ୍ୟ, ପନିପରିବା, ଗ୍ରୋସରୀ, ମାଛ, ମାଂସ, ଅଣ୍ଡାର ହୋମ ଡେଲିଭରୀ ହେବ । ଜମାଟୋ, ସ୍ୱିଗି, ଓପୋଲଫେଡ୍, ଓମ୍ଫେଡ୍, ଚିଲିକା ଫ୍ରେସର ହୋମ ଡେଲିଭରୀ କରିପାରିବେ । ଆର୍ଥିକ କାର୍ଯ୍ୟକଳାପ ଜାରି ରହିବ । କୃଷି, ମତ୍ସ୍ୟଚାଷ, ପଶୁପାଳନ, ଶିଳ୍ପ ପ୍ରତିଷ୍ଠାନ, ଆଇଟି, ହୋଟେଲ, ରାଜପଥର ଡାବାରୁ ପାର୍ସଲ ନେଇପାରିବେ । ପେଟ୍ରୋଲ ପମ୍ପ, ଇନ୍ଧନ ଗ୍ୟାସ ଖୋଲା ରହିବ ।

ଇ-କର୍ମସ, ପ୍ରିଂଟ ଓ ବୈଦ୍ୟୁତିକ ଗଣମାଧ୍ୟମ ଖୋଲା ରହିବ । ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା କୋଭିଡ୍ ନିୟମ ଅନୁଯାୟୀ ହେବ । ତେବେ ଏଥିପାଇଁ ଆବଶ୍ୟକ ଅନୁମତି ନେବାକୁ ପଡିବ । ରାଜ୍ୟ ସରକାରଙ୍କ ପ୍ରତିଷ୍ଠାନ ଭିତରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ, ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟ, ଜିଲ୍ଲା ଓ ପୌର କାର୍ଯ୍ୟାଳୟ, ପୋଲିସ ଓ ଅଗ୍ନିଶମ ସେବା ପୂର୍ବଭଳି ଜାରି ରହିବ । ତେବେ କମ୍ କର୍ମଚାରୀରେ ସେବା ଯୋଗାଇବାକୁ କୁହାଯାଇଛି । ସେହିପରି କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ଭିତରେ ପ୍ରତିରକ୍ଷା, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ, ଟ୍ରେଜେରି ଓ ଆକାଉଂଟ ଅଫିସ, ସିଏଜି କାର୍ଯ୍ୟାଳୟ, ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟ, ପୋଷ୍ଟ ଅଫିସ, ଟେଲିକମ୍ ସେବା, ପାଣିପାଗ କେନ୍ଦ୍ର, ଜାତୀୟ ସୂଚନା କେନ୍ଦ୍ର, ରିଜର୍ଭ ବ୍ୟାଙ୍କ, ଏଟିଏମ୍, କ୍ଲିୟରିଂ ହାଉସ୍ ଓ ଏୟାରପୋର୍ଟ ଖୋଲା ରହିବ ।