କନକ ବ୍ୟୁରୋ : ତାଲାବନ୍ଦରେ ଲୋକମାନେ ଘରେ ରହିବାକୁ ହେଲେ ପନିପରିବା ଘର ପାଖରେ ମିଳିବା ଆବଶ୍ୟକ । ଏହାକୁ ଆଖି ଆଗରେ ରଖି କମିସନରେଟ୍‌ ପୁଲିସ ଗତକାଲି ଏକ ନୂଆ ବ୍ୟବସ୍ଥା ହାତକୁ ନେଇଛି । ବିଭିନ୍ନ ଜାଗାରେ ଅସ୍ଥାୟୀ ଭାବରେ ବସି ପରିବା ବିକ୍ରି କରୁଥିବା ଲୋକକୁ ଖୋଜି ଖୋଜି ପାସ୍‌ ଦେଇଛି । ଗତକାଲି ପ୍ରଥମ ଦିନରେ ୭୧୫ ଜଣଙ୍କୁ ପାସ୍‌ ଦିଆଯାଇଥିବା ବେଳେ ଆଗକୁ ଏଭଳି ବ୍ୟବସାୟୀଙ୍କୁ ପାସ୍‌ ଦିଆଯିବ ବୋଲି ଜଣାପଡ଼ିଛି । ପାସ୍‌ ପାଇବା ପରେ ସେମାନେ ନିର୍ଦ୍ବନ୍ଦ୍ବରେ ପରିବା ବିକିପାରିବେ । ପ୍ରତି ଗଳିକନ୍ଦିରେ ପରିବା ଉପଲବ୍ଧ ହେବ । ଫଳରେ ଲୋକମାନେ ବାହାରକୁ ବାହାରିବେ ନାହିଁ ।

Advertisment

ତେବେ କେବଳ ପରିବା ବ୍ୟବସାୟୀ ନୁହନ୍ତି ବରଂ ଅନ୍ୟ ଯେଉଁମାନେ ରାସ୍ତାକଡ଼ରେ ଛୋଟ ଛୋଟ ବ୍ୟବସାୟ କରି ପେଟ ପୋଷୁଥି‌ଲେ, ସେମାନଙ୍କୁ ମଧ୍ୟ ପରିବା ବିକିବା ପାଇଁ ଉତ୍ସାହିତ କରଯାଇଛି। କେତେକ ଫାଷ୍ଟଫୁଡ୍‌ ବ୍ୟବସାୟୀ, ସାଇକେଲ ମରାମତି କରୁଥିବା ଲୋକଙ୍କୁ ମଧ୍ୟ ପାସ୍‌ ପ୍ରଦାନ କରି ପରିବା ବିକ୍ରି କରିବା ପାଇଁ କୁହାଯାଇଛି। ଯେହେତୁ ଏବେ ସମସ୍ତ ବ୍ୟବସାୟ ବନ୍ଦ ରହିଛି, ସେମାନଙ୍କର ପେଟ ପୋଷିବା ପାଇଁ ସମସ୍ୟା ହୋଇଛି। ଏଣେ ପରିବା ଗଳିକନ୍ଦିରେ ମିଳିବା ଜରୁରି ହୋଇଥିବାରୁ ଅଧିକ ବ୍ୟବସାୟୀଙ୍କ ଆବଶ୍ୟକତା ରହିଛି।

ଏଣୁ ଅନ୍ୟ ବ୍ୟବସାୟ କରୁଥିବା ଲୋକ ମଧ୍ୟ ଏବେ ପରିବା ବିକି ଗୁଜୁରାଣ ମେଣ୍ଟାଇ ପାରିବା ସୁଯୋଗ ଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କମିସନରେଟ୍‌ ପୁଲିସ ଯୋଜନା କରିଛି। ଯଦି ଏଭଳି କେହି ବେପାର କରିବାକୁ ଚାହାନ୍ତି, ତେବେ ସେମାନେ ପାସ୍‌ ସଂଗ୍ରହ କରି ବ୍ୟବସାୟ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ବ୍ୟବସାୟୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ସମସ୍ତ ନିର୍ଦ୍ଦେଶନାମା ପାଳନ କରିବାକୁ କୁହାଯାଇଛି।

ଆଜି ବିଭିନ୍ନ ଜୋନ୍‌ର ଏସିପିମାନେ ନିଜନିଜ ଅଞ୍ଚଳରେ ବୁଲି ଏଭଳି ବ୍ୟବସାୟୀମାନଙ୍କୁ ଠାବ କରିଥିଲେ। ପ୍ରଥମେ ପରିବା ବ୍ୟବସାୟୀଙ୍କୁ ଠାବ କରିବା ପରେ ଅନ୍ୟ ବେପାରରେ ଥିବା ଲୋକକୁ ଚିହ୍ନଟ କରିଥିଲେ। ଅନ୍ୟ ବ୍ୟବସାୟ କରୁଥିବା ଅନେକ ବ୍ୟବସାୟୀ ଏହି ପରିବା ବେପାର କରିବା ପାଇଁ ଆଗେଇ ଆସିଥିଲେ। ଆଗକୁ ମଧ୍ୟ ଏଭଳି ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇ ପାସ୍‌ ପ୍ରଦାନ କରାଯିବ। ଆଜି କେତେକ ପରିବା ବ୍ୟବସାୟୀ ଗଳିକନ୍ଦିରେ ବେପାର କରିବାକୁ ପରିବା ଦର ମଧ୍ୟ କମିଥିବା ପରିଲକ୍ଷିତ ହୋଇଛି।