ମଠ, ମନ୍ଦିର ଓ ଆଶ୍ରମ ଖାଁ ଖାଁ : ପୂଜକ, ସେବାୟତ ପରିବାର ଅସହାୟ

127

କନକ ବ୍ୟୁରୋ : ଲକ୍‌ଡାଉନ ଯୋଗୁ ବ୍ୟବସାୟ ପ୍ରତିଷ୍ଠାନ, କଳକାରଖାନା ଏବଂ ବିଭିନ୍ନ କର୍ମସଂସ୍ଥାନରେ କାମ କରୁଥିବା ଲୋକମାନଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହାଛଡ଼ା ବିଭିନ୍ନ ସେବା ତଥା ଦେବକାର୍ଯ୍ୟ ସଂପାଦନ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିବା ଆହୁରି ଅନେକ ପରିବାର ସମଦଶା ଭୋଗୁଛନ୍ତି । ମଠ, ମନ୍ଦିରଗୁଡିକ ଭକ୍ତ ଶୂନ୍ୟ ଥିବାରୁ ପୂଜକ ତଥା ସେବକମାନଙ୍କ ଅବସ୍ଥା‌ ଶୋଚନୀୟ ହୋଇପଡ଼ିଛି । ହେଲେ ସେମାନଙ୍କ ଅସନ୍ତୋଷର ସ୍ବର ଏଯାଏ ପ୍ରଶାସନ ନିକଟରେ ପହଞ୍ଚି ପାରିନି ।

ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦେବକାର୍ଯ୍ୟ ସଂପାଦନ କରୁଥିବା ପୂଜକ, ପୁରୋହିତ ଏବଂ ସେବାୟତ ପରିବାରବର୍ଗଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଛି। ସାରା ରାଜ୍ୟରେ ସମାନ ସ୍ଥିତି । ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ପରେ ଏବେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ପରିସ୍ଥିତି ଜାରି ରହିଛି । ଏହା ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ବେଳେ ଯାହା ଯେପରି ନିଜକୁ ସମ୍ଭାଳି ନେଇଥିଲେ । ମାତ୍ର ଦ୍ବିତୀୟ ପର୍ଯ୍ୟାୟ କଟକଣା ସେମାନଙ୍କ ଅବସ୍ଥା ଆହୁରି ଖରାପ ଆଡକୁ ଗତି କରୁଛି ।

ଏହି କଟକଣା ଯୋଗୁଁ ବିଭିନ୍ନ ସ୍ଥାନରେ ଥିବା ମଠ, ମନ୍ଦିର, ଦେବାଳୟ ଓ ଆଶ୍ରମରେ ତାଲା ଝୁଲିବା ପରିସ୍ଥିତି ସୃଷ୍ଟି ହୋଇଛି । ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ପୂର୍ବରୁ ଦେବଦେବୀଙ୍କ ପୂଜାର୍ଚ୍ଚନାରୁ ସେବାୟତ ପରିବାରଙ୍କୁ ଯାହା କିଛି ଦାନ ଦକ୍ଷିଣା ମିଳୁଥିଲା, ସୁଖେଦୁଃଖେ ସେଥିରେ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ହେଲେ ଏବେ ଠାକୁରଙ୍କ ବିଧି ରକ୍ଷା ସିନା ହେଉଛି, ହେଲେ ମନ୍ଦିର ପରିସର ଖାଁ ଖାଁ ହୋଇଯାଇଛି । ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କର ଆଉ ଗହଳି ଚହଳି ଦେଖିବାକୁ ମିଳୁ ନାହିଁ । ‌

 

ଖାଲି ସେତିକି ନୁହେଁ ସଂସ୍କୃତି ଓ ପରଂପରା ଆଧାରିତ ବିଭିନ୍ନ ସାମାଜିକ ଓ ମାଙ୍ଗଳିକ କାର୍ଯ୍ୟ ଯଥା ବିବାହ, ବ୍ରତ, ଜନ୍ମଦିନ, ଏକୋଇଶିଆ, ଯଜ୍ଞ, ସତ୍ୟନାରାୟଣ ପୂଜା, ତ୍ରିନାଥ ମେଳା ଏବଂ ମହୋତ୍ସବ ଉପରେ ବି କରୋନାର ଛାଟ ଲାଗିଛି । ଫଳରେ ଶତାଧିକ ସେବାୟତ ବା ପୂଜକ ପରିବାର ହାତବାନ୍ଧି ବସିଛନ୍ତି। ସେମାନଙ୍କ ରୋଜଗାର ପୂରା ବନ୍ଦ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନାରୁ ଏହିସବୁ ପରିବାର ବାଦ୍‌ ପଡ଼ିଛନ୍ତି । ଫଳରେ ଏହି ସବୁ ପରିବାର ପକ୍ଷେ ସମ୍ପ୍ରତି ଚଳିବା କଷ୍ଟକର ହୋଇପଡ଼ିଛି ।

ସେମାନଙ୍କ ମଧ୍ୟରୁ କେତେଜଣ ସେବାୟତ ପରିବାର ଏବେ ଅସନ୍ତୋଷର ସ୍ବର ଉଠାଇଥିବା ସୂଚନା ମିଳିଛି । ଐତିହ୍ୟ ସଂପନ୍ନ ବାଲିଅନ୍ତା ନିକୁଞ୍ଜବିହାରୀ ମନ୍ଦିରର ପୂଜକ ଶ୍ରୀଧର ଦାଶ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏନେଇ ଅଭିଯୋଗ କରିଥିବା ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଥିବା ଲକ୍ଷ୍ମୀଧର ବେହେରା ହ୍ବାଟ୍ସଆପ୍‌ ବାର୍ତ୍ତା ଯୋଗେ ଜଣାଇଛନ୍ତି । ଏହିପରି ଅସହାୟ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।