କନକ ବ୍ୟୁରୋ : ବୟନ ଶିଳ୍ପକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଶ୍ବ ଦରବାରରେ ବେଶ୍ ପରିଚିତ । ଏଠାକାର ହସ୍ତତନ୍ତ ସାମଗ୍ରୀର ସ୍ବତନ୍ତ୍ର ଚାହିଦା ବଜାରରେ ରହିଛି । ଦେଶ ଏବଂ ଦେଶ ବାହାରେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାର ପାଟଶାଢ଼ି ଲୋକେ ବହୁଳ ପରିମାଣରେ ବ୍ୟବହାର କରିଥାନ୍ତି । ବୟନ ଶିଳ୍ପ ଉପରେ ଜିଲ୍ଲାର ହଜାର ହାଜାର ପରିବାର ନିର୍ଭରଶୀଳ। ତେବେ ଲକ୍ଡାଉନ୍ ଯୋଗୁଁ ଏହି କ୍ଷେତ୍ରକୁ ବିଶେଷ ଭାବରେ ପ୍ରଭାବିତ କରିଛି । ବଜାର ବନ୍ଦ ରହିଛି । ହସ୍ତତନ୍ତ ପାଇଁ କଞ୍ଚାମାଲ ଉପଲବ୍ଧ ହୋଇ ପାରୁନାହିଁ । ଆବଶ୍ୟକ ରଙ୍ଗ, ସୂତା ନାହିଁ କି ବିକ୍ରି ବ୍ୟବସ୍ଥା ନାହିଁ ।
ସୁବର୍ଣ୍ଣପୁର ଜିଲ୍ଲାରେ ୬ ହଜାର ତନ୍ତ ବନ୍ଦ ରହିଛି । ବୁଣାକାର ସମବାୟ ସମିତିଗୁଡ଼ିକ କଞ୍ଚାମାଲ ଯୋଗାଇ ପାରୁ ନାହାନ୍ତି। କୁଶଳୀ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ସୂକ୍ଷ୍ମ କାରୁକାର୍ଯ୍ୟର ପାଟଶାଢ଼ି, ବୋମକେଇ ଶାଢ଼ି, ବାନ୍ଧ ଶାଢ଼ିର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ଅଛି । ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ, ଭୁବନେଶ୍ବରରେ ଏହି ଶାଢ଼ି ଅଧିକ ବିକ୍ରି ହୋଇଥାଏ। କିନ୍ତୁ, ଲକ୍ଡାଉନ୍ ଯୋଗୁଁ ବାହାରକୁ ଶାଢ଼ି ଯାଇ ପାରୁନାହିଁ। ବୁଣାକାର, ମହାଜନ ଏବଂ ସମବାୟ ସମିତିଗୁଡ଼ିକରେ ସେଗୁଡ଼ିକ ପଡ଼ି ରହୁଛି । ଏହାକୁ ଦେଖିଲେ ଜିଲ୍ଲାର ୧୫ ହଜାରରୁ ଅଧିକ ବୁଣାକାର ପରିବାର ଏବେ କର୍ମ ସଂସ୍ଥାନ ହରାଇ ଘରେ ବସିଛନ୍ତି । ଜିଲ୍ଲାରେ କୋଟି କୋଟି ଟଙ୍କାର ବେପାର ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏଭଳି ପରିସ୍ଥିତିରେ ବୁଣାକାର ପରିବାରଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି ।
ଏ ସମ୍ପର୍କରେ ବୟନିକାର ବୋର୍ଡ ଅଫ୍ ଡାଇରେକ୍ଟର ସାନନ୍ଦ ମେହେର କୁହନ୍ତି, କେନ୍ଦ୍ର ସରକାର ଗରିବଙ୍କୁ କରୋନାଜନିତ ଲକ୍ଡାଉନ୍ ଯୋଗୁଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ। ଗରିବ ପରିବାର ପ୍ରତି ଡାଲି, ଚାଉଳ, ଗହମ, କୃଷକ ସମ୍ମାନ ନିଧି ଯୋଜନା, ଜନଧନ ଖାତାଧାରୀ, ନିର୍ମାଣ ଶ୍ରମିକ, ବୁଲା ବିକାଳିଙ୍କୁ ସହାୟତା ଏବଂ ମନରେଗା ଯୋଜନରେ ୨ଶହ ଟଙ୍କା ମଜୁରି ତଥା ବୁଢ଼ାବୁଢ଼ୀଙ୍କୁ ଭତ୍ତା ଦେଲେ। ରାଜ୍ୟ ସରକାର ମଧ୍ୟ ଗରିବ ଅସହାୟଙ୍କୁ ରନ୍ଧାଖାଦ୍ୟଠାରୁ ଆରମ୍ଭ କରି ଓଡ଼ିଶା ଖାଦ୍ୟ ସୁରକ୍ଷା ଅଧୀନରେ ହିତାଧିକାରୀଙ୍କୁ ସହାୟତା ଦେଇଛନ୍ତି। କିନ୍ତୁ ଲକ୍ଡାଉନ୍ ସମୟରେ ବୁଣାକାରଙ୍କ ସହାୟତା ପାଇଁ ଉଭୟ ସରକାର ଭୁଲିଗଲେ। ଏହି ବୁଣାକାର ପରିବାର କର୍ମସଂସ୍ଥାନ ହରାଇ ଭୋକ ଉପାସରେ ଥିବାରୁ ଉଭୟ ସରକାର ଏମାନଙ୍କୁ ସ୍ବତନ୍ତ୍ର ସରକାରୀ ସହାୟତା ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।