କରୋନା ପାଇଁ ହାହାକାର : ରାଜ୍ୟରେ ଗଡୁନି ଦେଢ଼ ଲକ୍ଷ ଅଟୋ, ମାସିକ କିସ୍ତି ପୈଠ ଚିନ୍ତାରେ ଚାଳକ

1,191

କନକ ବ୍ୟୁରୋ : କଟକ-ଭୁବନେଶ୍ବରରେ ଏବେ ୪୦ ହଜାରରୁ ଅଧିକ ‌ଅଟୋ ଚାଳକ ହାତ ବାନ୍ଧି ବସିଛନ୍ତି। ରାଜ୍ୟରେ ଏହି ସଂଖ୍ୟା ଦେଢ ଲକ୍ଷରୁ ଅଧିକ । କିନ୍ତୁ ଏଭଳି ସ୍ଥିତିରେ ଋଣ କରି ତ କିଏ ଅନ୍ୟଠାରୁ ଭଡ଼ାରେ ଅଟୋ ନେଇ ଗୁଜୁରାଣ ମେଣ୍ଟାଉଥିବାବେଳେ ସେମାନଙ୍କ ଅବସ୍ଥା ଏବେ ସଙ୍ଗୀନ ।

ଲକ୍‌ଡାଉନ୍‌ ପରଠାରୁ ପ୍ରଶାସନର ସ୍ବୀକୃତି ପାଇଥିବା କାଁ ଭାଁ କିଛି ଅଟୋକୁ ଛାଡ଼ିଦେଲେ ବ‌ାକି ସବୁ ଅଟୋର ଚଳାଚଳ ବନ୍ଦ ରହିଛି। ଅଧିକାଂଶ ଅଟୋ ଚାଳକ ବିଭିନ୍ନ ସଂସ୍ଥାରୁ ଋଣ କରିଥିବାବେଳେ ଏବେ କିସ୍ତି ଟଙ୍କା କିଭଳି ପୈଠ କରିବେ, ସ‌େ ଚିନ୍ତାରେ ବସିଛନ୍ତି। ପରିବାର ପାଇଁ ଖାଦ୍ୟର ବ୍ୟବସ୍ଥା କରିବେ ନା ଋଣ କଥା ଚିନ୍ତା କରିବେ, ତାହାକୁ ନେଇ ଆଶଙ୍କାରେ ପଡିଛନ୍ତି। ଏଭଳି ସ୍ଥିତିରେ ଅନେକ ଅଟୋ ଚାଳକ ଏବେ ଅନ୍ୟ ବେଉସା ପାଇଁ ଆଗକୁ ଆସିଲେଣି। ତେଣୁ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାଙ୍କୁ ବର୍ତ୍ତମାନ ପରିସ୍ଥିତିରେ କିସ୍ତି ଆଦାୟ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ସହିତ ବୀମା ଅବଧି ସରି ଯାଇଥିଲେ, ତାହାର ସମୟସୀମା ବୃଦ୍ଧି ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିବାକୁ ନିଖିଳ ଓଡିଶା ଅଟୋ ଚାଳକ ମହାସଂଘ ଦାବି କରିଛି।

ନିଖିଳ ଓଡିଶା ଅଟୋ ଚାଳକ ମହାସଂଘର ସଭାପତି ସୁବାସ ସିଂହ କହିବା ଅନୁଯାୟୀ, ଅଟୋ ଚାଳକଙ୍କ ପାଇଁ ସରକାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବା ଦିଗରେ ପଦକ୍ଷେପ ନେବା ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସଚିବ ମଧୁସୂଦନ ପାଢୀଙ୍କ ସହିତ ଆଲୋଚନା କରାଯାଇଛି। କେବଳ ଅଟୋ ନୁହେଁ ଟାଟା ମ୍ୟାଜିକ୍‌, ଟ୍ରଲି ଅଟୋ ପାଇଁ ମଧ୍ୟ ସରକାର ଆର୍ଥିକ ସହାୟତା ଘୋଷଣା ନ କଲେ ସେମାନେ ସର୍ବସ୍ବାନ୍ତ ହୋଇଯିବେ।

ସୂଚନା ଅନୁସାରେ , ରାଜ୍ୟରେ ନିଖିଳ ଓଡିଶା ଅଟୋ ଚାଳକ ମହାସଂଘ ଅଧୀନରେ ରହିଛନ୍ତି ପାଖାପାଖି ଦେଢ ଲକ୍ଷ ଅଟୋ। ସେମାନଙ୍କର ପ୍ରତି ଜିଲ୍ଲାରେ ସଂଘ ମଧ୍ୟ ରହିଛି। କିନ୍ତୁ ଏହାକୁ ବାଦ୍‌ ଦେଲେ ରାଜ୍ୟରେ ଅଟୋ, ଟାଟା ମ୍ୟାଜିକ୍‌, ଡାଲା ଅଟୋ ଆଦି ସଂଖ୍ୟାକୁ ଯଦି ମିଶାଯାଏ ତେବେ ଏହା ୨ ଲକ୍ଷ ଟପିଯିବ।