ଦେଶରେ ମେ ୩ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ଅବଧି ବଢ଼ାଇଲେ ନରେନ୍ଦ୍ର ମୋଦି

2,377

କନକ ବ୍ୟୁରୋ : ସାରା ଦେଶରେ ବଢ଼ିଲା ଲକଡାଉଡ଼୍ ଅବଧି । ଭାରତରେ କରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି କଠୋର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆଜି ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାର ଓ ନାଗରିକମାନଙ୍କର ପରାମର୍ଶ କ୍ରମେ ଏ ଭଳି ନିଷ୍ପତ୍ତି ନିଆଯାଇଛି ।  ମେ ୩ ତାରିଖ ଯାଏଁ ଲକ୍‌ଡାଉନ୍ ବଳବତ୍ତର ରହିବ ବୋଲି ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାମନ୍ତ୍ରୀ ଘୋଷଣା କରିଛନ୍ତି ।

ଲକଡାଉନ୍ ଅବଧି ବଢ଼ାଇବା ସହ ମୋଦି ଘୋଷଣା କରିଛନ୍ତି, ୨୦ ଏପ୍ରିଲରୁ କିଛି ସ୍ଥାନରେ କୋହଳ ହେବ ଲକଡାଉନ୍ ନିୟମ । ଅଗ୍ନିପରୀକ୍ଷାରେ ସଫଳ ହୋଇଥିବା ସ୍ଥାନରେ ଲକଡାଉନ କଟକଣାକୁ କୋହଳ କରାଯିବ । କରୋନା ପାଇଁ ଯେଉଁଠାରେ ହଟସ୍ପଟ ବଢିନଥିବ କିମ୍ବା ବଢିବାର ଆଶଙ୍କା ନଥିବ ସେ ସ୍ଥାନରେ କଟକଣାକୁ କୋହଳ କରାଯିବ । ହେଲେ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରହିବ । ଏନେଇ ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯିବ । ଏହାସହ ଯୁବପୀଢିଙ୍କୁ ଆଗକୁ ଆସିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ । ବିଶ୍ୱ କଲ୍ୟାଣ, ମାନବ କଲ୍ୟାଣ ପାଇଁ ଯୁବକ ମାନେ ଆଗକୁ ବଢନ୍ତୁ । ଦେଶର ବୈଜ୍ଞାନିକ କରୋନାର ଭ୍ୟାକସିନତିଆରି କରିବା ପାଇଁ ଆଗକୁ ଆସନ୍ତୁ ବୋଲି କହିଛନ୍ତି । ଧୈର୍ଯ୍ୟ ରଖିଲେ କରୋନାକୁ ମାତ୍ ଦିଆଯାଇ ପାରିବ ବୋଲି କହିଛନ୍ତି ।

ଅନ୍ୟପଟେ କରୋନା ମୁକାବିଲା ପାଇଁ ୭ଟି ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବୟସ୍କ ଲୋକଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ମୋଦି । ଦ୍ୱିତୀୟରେ ତାଲାବନ୍ଦ ସମୟରେ ସାମାଜିକ ଦୂରତା ପାଳନ କରିବାକୁ କହିଛନ୍ତି । ତୃତୀୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆୟୁଷ ମନ୍ତ୍ରାଳୟ ଦେଇଥିବା ପରାମର୍ଶ ମାନିବାକୁ କହିଛନ୍ତି । ଚତୁର୍ଥରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ କହିଛନ୍ତି । ପଂଚମରେ ଗରିବଙ୍କୁ ସହାୟତା କରିବାକୁ ଆହ୍ୱାନ ଦେଇଛନ୍ତି । ଷଷ୍ଠରେ କାହାକୁ ଚାକିରିରୁ ବାହାର ନକରିବାକୁ ଉଦ୍ୟୋଗପତିମାନଙ୍କୁ ଅନୁରୋଧ କରିଛନ୍ତି । ଏବଂ ଶେଷରେ କରୋନା ଯୁଦ୍ଧରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ କହିଛନ୍ତି ।

କରୋନା ବିରୋଧୀ ଲଢ଼େଇ ପାଇଁ ଲୋକଙ୍କୁ ଆଉ କିଛି ଦିନ କଷ୍ଟ କରିବା ପାଇଁ ପଡ଼ିବ ବୋଲି ମୋଦି କହିଛନ୍ତି ।ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗ ପାଇଁ ଭାରତ ଏବେ ସୁଦ୍ଧା କରୋନାକୁ ମୁକାବିଲା କରିବାରେ ସଫଳ ହୋଇଛି । ଜନତା କଷ୍ଟ ସହିକି ଭାରତ ବର୍ଷକୁ ବଞ୍ଚାଇଛନ୍ତି । ଅନେ ଅସୁବଧା ସତ୍ୱେ ଲୋକେ ନିୟମକୁ କଡ଼ାକଡ଼ି ପାଳନ କରିଛନ୍ତି । ଘର ପରିବାର ଠାରୁ ଦୂରରେ ରହି ତାଲାବନ୍ଦକୁ ସମର୍ଥନ କରିଛନ୍ତି ଲୋକେ । ସମସ୍ତେ ଦେଶ ପାଇଁ ଜଣେ ଜଣେ ଅନୁଶାସିତ ସୀପାହି ପରି କର୍ତ୍ତବ୍ୟ କରୁଛନ୍ତି । ଭାରତରେ ବାର ମାସକୁ ତେର ପର୍ବ । ଦେଶର ବିଭିନ୍ନ ସ୍ଥାନରେ ଏବେ ଉତ୍ସବର ସମୟ । ହେଲେ ଲକଡାଉନ ବନ୍ଧନ ମଧ୍ୟରେ ଦେଶର ଲୋକ ଯେଉଁ ନିୟମ ପାଳନ କରୁଛନ୍ତି । ସଂଯମତା ରକ୍ଷା କରି ବିଭିନ୍ନ ଉତ୍ସବ ନିରାଡମ୍ବର ଭାବେ ଘରେ ରହି ପାଳନ କରୁଛନ୍ତି ।

ଆଜି ପୁରା ବିଶ୍ୱରେ ଭାରତର କରୋନା ମୁକାବିଲାକୁ ନେଇ ଚର୍ଚ୍ଚା । ଅନ୍ୟ ଦେଶ ତୁଳନାରେ ଭାରତ ସଂକ୍ରମଣକୁ ରୋକିବାକୁ ପ୍ରୟାସ କରିଛନ୍ତି । ଜନତା ସହଭାଗୀ ରହିବା ସହ ସାକ୍ଷୀ ରହିଛନ୍ତି । ଭାରତରେ କରୋନା କେସ୍ ନଆସିବା ପୂର୍ବରୁ ଭାରତରେ ବିଭିନ୍ନ ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଯାଇଥିଲା । ଶହେ ମୃତ୍ୟୁ ସଂଖ୍ୟ ପହଞ୍ଚିବା ପୂର୍ବରୁ ବିଦେଶରୁ ଆସୁଥିବା ଲୋକଙ୍କୁ ୧୪ ଦିନର କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ଏତିକି ସ୍ଥିତି ଅଣାୟତ ହେବା ପୂର୍ବରୁ ଅନେକ ସ୍ଥାନରେ ମଲ୍, ଦୋକାନବଜାର, ଯାନବାହାନ ଚଳାଚଳା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଥିଲା । ମାତ୍ର ୫୫୦ କେସରେ ଦେଶରେ ୨୧ ଦିନର ଲକଡାଉନ୍ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ସମସ୍ୟା ବଢ଼ିବା ପୂର୍ବରୁ ଉଚିତ ନିଷ୍ପତ୍ତି ନିଆଯାଇଥିଲା । କଠୋର ନିଷ୍ପତ୍ତି ନେଇ କରୋନା ମୁକାବିଲା ପାଇଁ ପ୍ରୟାସ ଆରମ୍ଭ କରିଥିଲା ଭାରତ । ତେବେ ଲକଡାଉନ୍ ନିଷ୍ପତ୍ତିରେ ସମସ୍ତ ରାଜ୍ୟ ସରକାର ମଧ୍ୟ କେନ୍ଦ୍ରକୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ସମସ୍ତେ ନିଜ ନିଜ ସ୍ଥାନରେ ରହି ୨୪ ଘଣ୍ଟା ନଜ ନିଜ କର୍ତ୍ତବ୍ୟ କରିଛନ୍ତି ଏବଂ ସ୍ଥିତିର ମୁକାବିଲା କରିଛନ୍ତି ।

ତେବେ ଏପରି ସଙ୍କଟରେ କୌଣସି ଦେଶ ସହ ତୁଳନା କରିବା ଉଚିତ ନୁହେଁ ବୋଲି କହିଛନ୍ତି ମୋଦି । ତଥାପି ବିଶ୍ୱର ବିକାଶଶୀଳ ଦେଶ ଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମିତ ସଂଖ୍ୟା ନିୟନ୍ତ୍ରିତ ରହିଛି । ମାସେ ପୂର୍ବରୁ ଅନ୍ୟ ଦେଶ ଗୁଡ଼ିକ ପରି ଭାରତର ସମାନ ସ୍ଥିତି ଥିଲା । ହେଲେ ଆଜି ସେ ଦେଶ ଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଅଣାୟତ ରହିଛି । ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଭାରତରେ ଠିକ୍ ସମୟରେ କଠିନ ନିଷ୍ପତ୍ତି ନଆପଣାଇ ଥିଲେ ଆଜି ବି ଭାରତର ସ୍ଥିତି ଅଣାୟତ ହୋଇଥାଆନ୍ତା ।

ବିଗତ ଦିନର ଅନୁଭବ ଅନୁସାରେ , ସାମାଜିକ ଦୂରତ୍ୱ ଓ ଲକଡାଉନର ବହୁତ ବଡ଼ ଲାଭ ଦେଶକୁ ମିଳୁଛି । କେବଳ ଆର୍ଥିକ ଦୃଷ୍ଟିକୋଣରୁ ଦେଖିଲେ ଦେଶ ଅନେକ କ୍ଷତି ସହିଛି । ହେଲେ ଭାରତବାସଙ୍କ ଜୀବନ ଆଗରେ ଏହାର କୌଣସି ତୁଳନା ନାହିଁ ବୋଲି କହିଛନ୍ତି ମୋଦି ।