କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସଂକ୍ରମଣ ଠାରୁ ଦୂରେଇ ରହିବା ସଂଗରୋଧ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ୫ ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆଗାମୀ ସପ୍ତାହ ଦେଶ ଓ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗତ କିଛି ଦିନରେ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡ଼ିଶାକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ାେ ଓ ଅନୁଗୁଳ ଜିଲ୍ଲାର ବୋଲି ଜଣାପଡ଼ିଛି । ୨୨ରୁ ୨୯ ତାରିଖ ଯାଏଁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ଲକ୍ ଡାଉନ୍ ରହିବ ।
କେବଳ ଏତିକି ନୁହେଁ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରରୋଡ, ଯାଜପୁର ଟାଉନରେ ବି ଲାଗୁ ହେବ ଏହି ନିୟମ । ୨୨ମାର୍ଚ୍ଚ ସକାଳ ୭ରୁ ୨୯ମାର୍ଚ୍ଚ ରାତି ୯ଟା ଯାଏଁ ଏହି ନିୟମ ଲାଗୁ ରହିବ । ଘରୋଇ କମ୍ପାନୀ ଗୁଡ଼ିକୁ ୱାର୍କ ଫର୍ମ ହୋମ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ତେବେ ଏହି ଅବଧି ମଧ୍ୟରେ ବସ୍ ଟ୍ରେନ୍, ବିମାନ ସେବା ଚାଲୁ ରହିବ । ଅନ୍ୟପଟେ ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ ମଧ୍ୟ ଖୋଲା ରହିବ । ସଉଦା, ପରିବା, ମାଛ, ମାଂସ, ଅଣ୍ଡା, ଚିକେନ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ଓ ମେଡିସିନ ଦୋକାନ ଖୋଲା ରହିବ ।
ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସିପାଲଟି ସେବା, ପୋଲିସ, ଅଗ୍ନିଶମ ସେବା ଜାରି ରହିବ ସରକାର ସ୍ପଷ୍ଟ କରିଛନ୍ତି । ପାନୀୟ ଜଳ ଓ ବିଦ୍ୟୁତ କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ । ସରକାରଙ୍କ ନିଷ୍ପତ୍ତିରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଘରେ ରହି ଜନତା କିପରି ସୁରକ୍ଷିତ ରହିବେ ସେଥିପାଇଁ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । କାରଣ ବର୍ତ୍ତମାନ ସ୍ଥିତିରେ ଘରୁ ନବାହାରିଲେ ଓ ଲକ୍ ଡାଉନ୍ ରହିଲେ ହିଁ ସୁରକ୍ଷିତ ରହିପାରିବେ । ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ପ୍ରତିଟି ଓଡ଼ିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ୍ । ନିଜ ଓ ନିଜ ପରିବାରର ମଙ୍ଗଳ ପାଇଁ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସ୍ୱାର୍ଥ ପାଇଁ ସରକାର କରିଥିବା ଏହି କଟକଣା ଯିବ ଭାଙ୍ଗିଲେ କଠୋର ପଦକ୍ଷେପ ନେବ ପୋଲିସ୍ ।