ଲକଡାଉନର ଆଜି ତୃତୀୟ ଦିନ : ବିଭିନ୍ନ ସ୍ଥାନରେ ଚେକିଂ ଜୋରଦାର, ଲୋକଙ୍କୁ ସଚେତନ କରୁଛି ପୋଲିସ . . ଅତି ଆବଶ୍ୟକ ନପଡିଲେ ଘରୁ ପଦାକୁ ନବାହାରିବାକୁ ପରାମର୍ଶ

490

କନକ ବ୍ୟୁରୋ : ଲକଡାଉନର ଆଜି ତୃତୀୟ ଦିନ । ଆଜି କଟକଣାକୁ କଡାକଡି କରିଛି ପୋଲିସ୍ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଚେକିଂ କରିବା ସହ ଲୋକମାନଙ୍କୁ ସଚେତନ କରୁଛନ୍ତି ପୋଲିସ । ଏବଂ ଅତି ଆବଶ୍ୟକ ନପଡିଲେ ଘରୁ ପଦାକୁ ନବାହାରିବାକୁ ନିର୍ଦ୍ଦେଶ ଲୋକମାନଙ୍କୁ ବୁଝାଉଛନ୍ତି । ସେହିପରି ବାଇକ୍ ଓ କାର ନଆଣିବାକୁ ସଚେତନ କରୁଛନ୍ତି । ଆଜିଠାରୁ ଅଧାରୁ ଅଧିକ ଓଡ଼ିଶାକୁ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରାଯାଇଛି । ପୂର୍ବରୁ ୫ ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜିଠାରୁ ୯ଟି ଜିଲ୍ଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ାକୁ ତାଲା ବନ୍ଦ କରାଯାଇଛି ।

ପୂର୍ବରୁ ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲାକୁ ତାଲା ବନ୍ଦ ଘୋଷଣା କରାଯାଇଥିଲା । ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍, ଯାଜପୁର ଟାଉନ୍ ୮ଟି ସହରକୁ ତାଲାବନ୍ଦ ଘୋଷଣା କରାଯାଇଥିଲା । କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସବୁକିଛି ବନ୍ଦ କରି ଦେଇଛନ୍ତି ସରକାର । ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି ।

କେବଳ ସେତିକି ନୁହେଁ ଆଜି ୧୧ଟା ପରଠାରୁ ସମସ୍ତ ବସ୍ ସେବାକୁ ବାତିଲ କରି ଦେଇଛନ୍ତି ସରକାର । ସିଟି ବସ୍ ଗୁଡିକୁ ଗତ ମଧ୍ୟ-ରାତ୍ରିରୁ ବନ୍ଦ କରି ଦିଆଯାଇଛି । ଏପରକି ଆବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସରକାର ।