କନକ ବ୍ୟୁରୋ : ନୀତିକାନ୍ତି ଅନୁଯାୟୀ ପ୍ରତିଦିନ ମହାପ୍ରଭୁ ଭିନ୍ନ ଭିନ୍ନ ବେଶରେ ବିଭୂଷିତ ହେଉଛନ୍ତି । ହେଲେ ଚତୁର୍ଦ୍ଧା ମୁରତିଙ୍କୁ ଦର୍ଶନ କରିବା ପାଇଁ ଲାଗୁନାହିଁ ଭକ୍ତଙ୍କ ଭିଡ । କରୋନା ସଂକ୍ରମଣ ଭୟ ଓ ଲକଡାଉନ ଯୋଗୁଁ ଭକ୍ତ କାଳିଆ ଦର୍ଶନରୁ ବଂଚିତ ହେଉଛନ୍ତି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ଆଣି ଦେଇଛି ମାରତ୍ମକ କରୋନା ଭୂତାଣୁ । ଲକଡାଉନ ପରଠୁ ସାରା ଶ୍ରୀମନ୍ଦିର ଖାଁ ଖାଁ ।
ନିସ୍ତବ୍ଧ ସିଂହ ଦ୍ୱାର, ବାଇଶି ପାହାଚ ଠାରୁ ଶ୍ରୀମନ୍ଦିର ପାଟ ଅଗଣା, ପୁଣି ନାଟ ମଣ୍ଡପରୁ ଜଗମୋହନ ସବୁଠି ଶୂନଶାନ । ଗହଳିଚହଳିରେ ଫାଟିପଡୁଥିବା ଆନନ୍ଦ ବଜାରର ଜନଶୂନ୍ୟ ପାଲଟିଛି । ନୀତି ଅନୁଯାୟୀ ଶ୍ରୀମନ୍ଦିରରେ ସବୁ ଠିକ୍ ଠାକ ଚାଲିଛି, ସେବାୟତଙ୍କ ସେବା ପାଉଛନ୍ତି ଶ୍ରୀଜିଉ । ହେଲେ ଶ୍ରଦ୍ଧାଳୁଙ୍କ ଗହଳିଚହଳି ବଡଦାଣ୍ଡରେ ଦେଖିବାକୁ ମିଳୁ ନାହିଁ ।
ସେପଟେ କରୋନା ମୁକାବିଲା ପାଇଁ ପୁରୀ ଜିଲ୍ଲା ସୀମାବର୍ତ୍ତୀ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ପୁରୀ ଜିଲ୍ଲାର ସୀମାବର୍ତୀ ଅଂଚଳ କୁହାଯାଉଥିବା ଶିଖରଘାଟ ବ୍ରିଜ ନିକଟରେ ପୁରୀ , ଜଗତସିଂହପୁର ଓ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସିଲ କରିଛି କାକଟପୁର ପୋଲିସ । ଏହି ରାସ୍ତା ଦେଇ ଏହି ୩ଟି ଜିଲ୍ଲାକୁ ଯାତାୟତ କରୁଥିବା ସମସ୍ତ ଗାଡି ଓ ଯାତ୍ରୀଙ୍କ ଉପରେ ସିସିଟିଭି ଦ୍ୱାରା ନଜର ରଖାଯାଇଛି । ଯାତାୟତ କରୁଥିବା ସମସ୍ତ ଗାଡି ଓ ଯାତ୍ରୀଙ୍କ ଉପରେ ସିସିଟିଭି ଦ୍ୱାରା ନଜର ରଖାଯାଇଛି । ଗେଟ ପାସ ସମୟରେ ଜରୁରୀକାଳୀନ ଗାଡି ଓ ଲୋକଙ୍କୁ ଛଡାଯାଉଛି ।