ରାଜ୍ୟସଭା ରେସ୍ ପାଇଁ ଅବଗଣନା ଆରମ୍ଭ : କାହାକୁ ରାଜ୍ୟସଭା ପଠାଇବେ ବିଜେଡି ସୁପ୍ରିମୋ? ଜୋରଧରିଲା ଧରିଲା ଚର୍ଚ୍ଚା . . . ପୁଣିଥରେ ବିଜେପିକୁ ସିଟ୍ ଉପହାର ଦେବ କି ବିଜେଡି ?

1,161

କନକ ବ୍ୟୁରୋ : ଆସନ୍ତା ଏପ୍ରିଲରେ ଖାଲି ହେଉଛି ୪ଟି ରାଜ୍ୟସଭା ଆସନ । ଏହି ୪ଟି ଆସନରେ ବିଜେଡି ସୁପ୍ରିମୋ କାହାକୁ ରାଜ୍ୟସଭା ପଠାଇବେ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ସଂଖ୍ୟା ଦୃଷ୍ଟିରୁ ସବୁ ଆସନ ବିଜେଡି ହାତକୁ ଯିବ । ତେବେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇ ସାଂସଦ ବନାଇଥିବାରୁ ରାଜ୍ୟସଭା ଅଙ୍କ ଗୋଳମାଳିଆ ହୋଇଯାଇଛି । ଏଥିସହ ୨୦୧୯ ନିର୍ବାଚନ ପରେ ବିଜେଡି ଓ ବିଜେପି ମଧ୍ୟରେ ବଢ଼ୁଥିବା ସଂପର୍କ ରାଜ୍ୟସଭା ସମୀକରଣକୁ ଗୋଳିଆ କରିଦେଇଛି ।

ଆସନ୍ତା ଏପ୍ରିଲ ମାସରେ ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସ୍ଥାନ ଖାଲି ପଡ଼ିଥିବା ବେଳେ ବିଜେଡିର ୨ ସାଂସଦ ସରୋଜିନୀ ହେମ୍ଭ୍ରମ ଓ ନରେନ୍ଦ୍ର ସ୍ୱାଇଁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେହିପରି କଂଗ୍ରେସ ସାଂସଦ ରଂଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ମଧ୍ୟ ସେହି ସମୟରେ ସରିଯିବ ।

ରାଜ୍ୟସଭା ସିଟ ପାଇଁ ବିଜେଡିରେ ଏବେ ଆଶାୟୀଙ୍କ ସଂଖ୍ୟା ମାଳମାଳ । ଦଳର କିଛି ହେଭିୱେଟ ନେତା, ଯେଉଁମାନେ ସାଧାରଣ ନିର୍ବାଚନରେ ଚିତପଟାଙ୍ଗ ମାରିଥିଲେ, ସେମାନେ ଏବେ ରାଜ୍ୟସଭା ସାଂସଦ ଭାବେ ଥଇଥାନ ହେବାକୁ ଚାହୁଁଛନ୍ତି । ପାୱାର କରିଡରରେ ଏ ନେଇ ଜୋରଦାର ଲବି ମଧ୍ୟ ଆରମ୍ଭ କରିସାରିଲେଣି । ନିକଟରେ ବିଜେପି ପ୍ରାର୍ଥୀ ଅଶ୍ୱନୀ ବୈଷ୍ଣବଙ୍କୁ  ସମର୍ଥନ ଦେଇ ରାଜନୈତିକ ଅଙ୍କକଷାକୁ ଓଲଟପାଲଟ କରି ଦେଇଥିଲେ ନବୀନ ।

ଏବେ ପ୍ରଶ୍ନ ଉଠୁଛି ଏପରି ବୁଝାମଣା ହେବ ନା ୪ଟି ସିଟକୁ ବିଜେଡି ନିଜ ପାଖରେ ରଖିବ, ତାହା ଉପରେ ରହିଛି ସମସ୍ତଙ୍କ ନଜର । ଅନ୍ୟପଟେ ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଦଳ ପାଖରେ ରାଜ୍ୟସଭା ଆସନ ପାଇଁ ସଂଖ୍ୟା ରହିଛି, ଚୂଡ଼ାନ୍ତ ନିଷ୍ପତି ନେବେ ଦଳର ସୁପ୍ରିମୋ ।

ଏପଟେ ଚର୍ଚ୍ଚା ହେଉଛି, ରାଜ୍ୟସଭା ରେସ ଭିତରେ ବିଜେଡି କିଛି ଆଶାୟୀ ନେତାଙ୍କୁ ବିଧାନ ପରିଷଦର ଆଶା ଦେଖାଇ ଅଟକାଇ ଦିଆଯାଇପାରେ । କିନ୍ତୁ ଏସବୁ ଭିତରେ ରାଜ୍ୟସଭା ଆସନ ପାଇଁ ଏବେଠୁଁ ଦଳୀୟ ନେତା, ହିସାବ କିତାବ ଆରମ୍ଭ କରିଦେଲେଣି ।