କନକ ବ୍ୟୁରୋ : ରାସନ କାର୍ଡରେ ଆଧାର ଲିଙ୍କ୍ ହୋଇ ନଥିବାରୁ କଳାହାଣ୍ଡି ଜିଲ୍ଲାର ୮୩ ହଜାର ୧୯ ଜଣ ହିତାଧିକାରୀ ଆସନ୍ତା ନଭେମ୍ବର ମାସର ଚାଉଳ ପାଇବା ନେଇ ଅନିଶ୍ଚିତତା ଦେଖାଦେଇଛି । ଏହା ଜାଣିବା ପରେ ହିତାଧିକାରୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଭିନ୍ନକ୍ଷମମାନେ ବି ଏଥିରୁ ବାଦ୍ ପଡ଼ିବେନି । ତଳ ସ୍ତରରୁ ରିପୋର୍ଟ ଗଲା ପରେ ସରକାର ସେମାନଙ୍କ ପାଇଁ ଅତିରିକ୍ତ ଚାଉଳ ରିଲିଜ୍ କରିବେ ବୋଲି ଜଣାପଡ଼ିଛି । କାରଣ ଆଧାର ଲିଙ୍କ୍ ଅନୁଯାୟୀ ନଭେମ୍ବର ମାସର ଚାଉଳ ରିଲିଜ୍ ହୋଇ ସାରିଲାଣି । ଏହି ଚାଉଳ ନ ପାଇଲେ ଅନେକ ଗରିବ ଓ ଭିନ୍ନକ୍ଷମ ଅନାହାରରେ ରହିବା ଏବେଠାରୁ ଜଳଜଳ ଦେଖାଗଲାଣି ।
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନାରେ ୧୨ ଲକ୍ଷ ୮୩ ହଜାର ୨୫୫ ରାସନ୍ କାର୍ଡ ରହିଛି । ଏଥି ମଧ୍ୟରୁ ୧୨ ଲକ୍ଷ ୨୩୬ କାର୍ଡ ସହ ଆଧାର ଲିଙ୍କ୍ ହୋଇ ପାରିଛି। ୮୩ ହଜାରରୁ ଅଧିକ କାର୍ଡ ସହ ଆଧାର ସଂଯୋଗ ହୋଇପାରିନାହିଁ । କାରଣ ଆଧାରକୁ ନେଇ ବହୁ ସମୟରେ ବାଦ ବିବାଦ ଲାଗି ରହିଛି। ବହୁ ସମସ୍ୟା ବି ରହିଛି । ସରକାର ଆଧାର ପାଇଁ ବେଙ୍କ, ପୋଷ୍ଟଅଫିସ ଓ ଅନ୍ୟ ସେଣ୍ଟରମାନ ଖୋଲିଥିବା କଥା କହୁଛନ୍ତି । ସେହି ସେଣ୍ଟର ଗୁଡ଼ିକରେ ଠିକ ଭାବେ ସେବା ମିଳୁ ନାହିଁ। ଲୋକେ ଆଧାର ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡୁଛନ୍ତି ।
ତଥାପି ସେମାନଙ୍କ ଆଧାର କାର୍ଡ ମିଳୁ ନାହିଁ। ଲୋକଙ୍କୁ ଲମ୍ବା ଲାଇନ୍ ଲାଗିବାକୁ ପଡୁଛି ଏବଂ ଦିନ ଦିନ ସମୟ ନଷ୍ଟ କରିବାକୁ ପଡୁଛି । ଲିଙ୍କ୍ ଫେଲ ହେଲେ କିମ୍ବା କାଗଜ ପତ୍ର ଠିକ ନଥିଲେ ଆଉ ଥରେ ଯିବାକୁ ପଡୁଛି । ଦୁର୍ଗମ ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକରେ ସ୍ଥିତ ଆହୁରି ସଂଗିନ । ଏଠି ବହୁ ନିରକ୍ଷର ଲୋକ ରହୁଥିବାରୁ ଏବଂ ଟେଲି ଯୋଗାଯୋଗ ବ୍ୟବସ୍ଥା ଠିକ୍ ନଥିବାରୁ ଆଧାର କାମ ଠିକ ଭାବରେ ହୋଇ ପାରୁ ନାହିଁ । ଫଳରେ ସବୁଠୁ ଏହି ଅଞ୍ଚଳରେ ବର୍ତ୍ତମାନ ଏହି ଯୋଜନାରେ ହିତାଧିକାରୀଙ୍କ ଆଧାର ଲିଙ୍କ୍ ହୋଇ ପାରି ନଥିବା ରିପୋର୍ଟରୁ ଜଣାପଡ଼ିଛି ।
ଏତେ ଅସୁବିଧା ସତ୍ୱେ ତଳ ସ୍ତରରେ ତର୍ଜମା ନକରି ସରକାର ଆଧାର ଲିଙ୍କ୍ ବ୍ୟବସ୍ଥା ରିବା ସହ ତରବରିଆ ଭାବେ ଏହାକୁ ଲାଗୁ କରାଯାଇଛି । ଅବଶ୍ୟ ସରକାର ଆଧାର ଲିଙ୍କ୍ ସମୟ ସୀମାକୁ ଅଗଷ୍ଟ ୩୧ ଯାଏଁ ରଖିଥିଲେ । ପୁଣି ଅସୁବିଧା ହେବାରୁ ଆସନ୍ତା ୧୫ରିଖ ଯାଏଁ ଆଧାର ଲିଙ୍କ୍ ଧାର୍ଯ୍ୟ ତାରିଖ ବଢ଼ାଇଛନ୍ତି । ମାତ୍ର ଯାହାର ୩୧ ଭିତରେ ଆଧାର ଲିଙ୍କ୍ ହୋଇ ନାହିଁ ତାକୁ ନଭେମ୍ବର ଚାଉଳ ମିଳିବ ନାହିଁ ବୋଲି ଯୋଗାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଏଭଳି ସ୍ଥିତି ସାରା ରାଜ୍ୟରେ ହୋଇଥିବା ଜଣାପଡ଼ିଛି । ଏହାର ତର୍ଜମାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।