ଲିଙ୍ଗରାଜର ନବୀକରଣ ପାଇଁ ଉଚ୍ଛେଦ ଜାରି : ଦକ୍ଷିଣଦ୍ୱାର ପାର୍ଶ୍ୱରେ ଆଜି ଚାଲିଛି ଭଙ୍ଗାକାର୍ଯ୍ୟ, ସେପଟେ ପୁରୀରେ ତୃତୀୟ ଦିନରେ ଭଙ୍ଗା ଯାଉଛି ସାନଛତା ମଠ

134

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିରର ନବୀକରଣ ପାଇଁ ଉଚ୍ଛେଦ ଜାରି । ବିଏମସି ପକ୍ଷରୁ ଦକ୍ଷିଣଦ୍ୱାର ପାର୍ଶ୍ୱରେ ଆଜି ଉଚ୍ଛେଦ କରାଯାଉଛି । ଲିଙ୍ଗରାଜ ମନ୍ଦିରର ଚତୁପାଶ୍ୱର୍କୁ ନୂଆ ରୂପ ଦେବା ପାଇଁ ୭୫ ମିଟର ପର୍ଯ୍ୟନ୍ତ ଉଛେଦ କରୁଛି ପ୍ରଶାସନ । ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୯ଟି ପ୍ରକଳ୍ପ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗରର ପୁନରୁଦ୍ଧାର ଯୋଜନାରେ ପୁଷ୍କରଣୀ ଗୁଡିକର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାର-ଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ କରାଯିବ ।

ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକଠାରୁ ବଢ଼େଇ ବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ । ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ରହିବ । ଲିଙ୍ଗରାଜ ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଭିତିଭୂମିର ବିକାଶ କରାଯିବ ।

ସେପଟେ ତୃତୀୟ ଦିନରେ ସାନଛତା ମଠ ଉଛେଦ ଜାରି । ପୁରୀ ଦୋଳ ବେଦୀ ନିକଟରେ ଥିବା ସାନ ଛତା ମଠରେ ଆଜି ବି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ମଙ୍ଗୁମଠ ପରେ ସାନଛତା ମଠରେ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରୁ ୭୫ ମିଟର ପରିଧି ଭିତରେ ଏହି ମଠ ଆସୁଥିବାରୁ ଉଛେଦ କରାଯାଉଛି । କାଲି ସ୍ୱର୍ଗଦ୍ୱାର ଓ ସାନଛତା ମଠରେ ଉଚ୍ଛେଦ ହୋଇଥିଲା । ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ୩୦ରୁ ଅଧିକ ବୁଲଡୋଜାର ।